ହକି ବିଶ୍ୱକପ୍; ସୁରକ୍ଷା ପାଇଁ ରାଜଧାନୀକୁ ଜଗିବେ ୮୧ ପ୍ଲାଟୁନ୍ ପୁଲିସ ଫୋର୍ସ

ଭୁବନେଶ୍ୱର,୧୩/୧(ସତ୍ୟପାଠ ବ୍ୟୁରୋ): ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି। ଗୁରୁବାର ଟ୍ୱିନ୍ ସିଟି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି। କେବଳ ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୮୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ କମିସନର ସୂଚନା ଦେଇଛନ୍ତି।

ଖେଳାଳି, ଅଧିକାରୀଙ୍କ ସୁରକ୍ଷା, ସେମାନଙ୍କ ରହଣି ସ୍ଥାନ, ସହରର ଅନ୍ୟାନ୍ୟ ଅଞ୍ଚଳ ଗସ୍ତ ଉପରେ ସାମଗ୍ରିକ ଭାବେ ଗୁରୁତ୍ୱ ଦିଆଯିବ। ଏଥିସହ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମଗ୍ର ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପ୍ରାୟ ୮୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ। ଖେଳାଳି, ଅଫିସିଆଲ ଏବଂ ଦର୍ଶକଙ୍କ ସୁରକ୍ଷା ଉପରେ ଧ୍ୟାନ ରହିବ ଏବଂ ସେମାନେ ଯେପରି ଭଲ ସ୍ମୃତି ଏବଂ ଅଭିଜ୍ଞତା ସହିତ ଫେରିବେ ତାହା ସୁନିଶ୍ଚିତ କରିବୁ ବୋଲି ପ୍ରିୟଦର୍ଶୀ କହିଛନ୍ତି।

କମିସନରେଟ୍ ପୁଲିସ ପକ୍ଷରୁ ହକି ବିଶ୍ୱକପ୍ ସମ୍ପର୍କିତ ଏକ ଡିଜିଟାଲ ହ୍ୟାଣ୍ଡବୁକ୍ ଉନ୍ମୋଚିତ ହୋଇଛି। ଯେଉଁଥିରେ ବ୍ୟାପକ ସୂଚନା ମିଳିପାରିବ। ଏହି ଡିଜିଟାଲ ହ୍ୟାଣ୍ଡବୁକରେ ୧୨ଟି ପୃଷ୍ଠା ରହିଛି ଏବଂ ଏଥିରେ ସୂଚନା ପାଇବା ସମସ୍ତଙ୍କ ପାଇଁ ସହଜ ହେବ। ଏତଦବ୍ୟତୀତ କମିସନରେଟ୍ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଲୋଗୋ ଉନ୍ମୋଚନ କରାଯାଇଛି। ହକି ବିଶ୍ୱକପ୍ ସମୟରେ ସୁରକ୍ଷା ପାଇଁ ମୁତୟନ ହେବାକୁ ଥିବା ସୁରକ୍ଷା କର୍ମୀ ଓ ଅଧିକାରୀ ଏହି ଲୋଗୋ ଡ୍ରେସକୋର୍ଡରେ ଲଗାଇବେ ବୋଲି ପ୍ରିୟଦର୍ଶୀ କହିଛନ୍ତି।

Related Posts