ଭୁବନେଶ୍ବର,୧୩/୧(ସତ୍ୟପାଠ ବ୍ୟୁରୋ): ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର ଗଣନା ଶେଷ ହୋଇଛି। ଏଥର ଗତ ବର୍ଷ ଅପେକ୍ଷା ୯ଟି କୁମ୍ଭୀର ବଢ଼ିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଅଧୀର କୁମାର ବେହେରା।

ତେବେ ପ୍ରତିବର୍ଷ ଭଳି ଚଳିତବର୍ଷ ଜାନୁଆରୀ ୪ ତାରିଖରୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା। କୁମ୍ଭୀର ଗଣନାରେ ବନବିଭାଗର ୨୨ଟି ଟିମ୍‌ ନିୟୋଜିତ ହୋଇଥିଲେ। ଏହି ଟିମ୍‌ ଭିତରକନିକାର ନଦୀ ନାଳରେ ଥିବା କୁମ୍ଭୀରମାନଙ୍କୁ ଗଣନା କରିଥିଲେ। ଚଳିତ ବର୍ଷ ଭିତରକନିକାରେ ୧୭୯୩ଟି କୁମ୍ଭୀର ଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ସେଥିରେ ୨୨ଟି ଧଳା କୁମ୍ଭୀର ରହିଛି। ତେବେ ଗତବର୍ଷ ଭିତରକନିକାରେ ୧୭୮୪ଟି କୁମ୍ଭୀର ଥିବା ବେଳେ ଏବର୍ଷ ୯ଟି କୁମ୍ଭୀର ବୃଦ୍ଧି ହୋଇଥିବା ଗଣନା ପରେ ଜଣାପଡିଛି ।