ହକି ବିଶ୍ବକପ; ଦ୍ଵିତୀୟ ମ୍ୟାଚ୍ ରେ ୮-୦ ଗୋଲ୍‌ରେ ଫ୍ରାନ୍ସକୁ ହରାଇଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର,୧୩/୧(ସତ୍ୟପାଠ ବ୍ୟୁରୋ): ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଦ୍ବିତୀୟ ମ୍ୟାଚ୍‌ରେ ଶୁକ୍ରବାର ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଛି। ଫ୍ରାନ୍ସ ବିପକ୍ଷରେ ବିଜୟୀ ହୋଇଛି ଦଳ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଫ୍ରାନ୍ସକୁ ୮-୦ ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି।ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି।

କଙ୍ଗାରୁ ଦଳର ଖେଳାଳିମାନେ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀରେ ‌ମ୍ୟାଚ୍‌ ଖେଳିଥିଲେ। ଟିମ୍‌ ପ୍ରଥମ ହାଫ୍‌ରେ ଗୋଟିଏ ଗୋଲ୍‌ ଦେଇଥିଲା। ଅଷ୍ଟ୍ରେଲିଆର ଖେଳାଳିମାନେ ଦ୍ବିତୀୟ ଓ ତୃତୀୟ ହାଫ୍‌ରେ ଯଥାକ୍ରମେ ୩-୩ ଗୋଲ୍‌ ଦେଇଥିଲେ। ସେହିପରି ଶେଷ ହାଫ୍‌ରେ କଙ୍ଗାରୁ ଦଳ ଫ୍ରାନ୍ସ ବିପକ୍ଷରେ ଗୋଟିଏ ଗୋଲ ଦେଇଥିଲା।

ଅଷ୍ଟ୍ରେଲିଆ ପାଇଁ କ୍ରାଇଗ ଟମ୍‌ ଓ ହାଏୱାର୍ଡ ଜେରେମି ସର୍ବାଧିକ ୩-୩ ଗୋଲ ଦେଇଥିଲେ। ଟମ୍‌ ୮, ୩୧ ଓ ୪୪ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲା ବେଳେ ଜେରେମି ୨୬, ୨୮ ଓ ୩୮ ମିନିଟରେ ପେ‌ନାଲ୍ଟି ଗୋଲ ମାରିଥିଲେ। ସେହିପରି ୨୬ ମିନିଟରେ ଓଗିଲିଭ ଫ୍ଲାଇନ୍‌ ଓ ୫୩ ମିନିଟରେ ୱିକ୍‌ହାମ୍‌ ଟମ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ପୁରୁଷ ହକି ବିଶ୍ବକପର ୧୫ତମ ସଂସ୍କରଣ ପ୍ରଥମ ମ୍ୟାଚରେ ଆଜେଣ୍ଟିନା ୧-୦ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଉଭୟ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ଟକର ଦେଖିବାକୁ ମିଳିଥିଲା। ତୃତୀୟ ହାଫରେ ଆଜେଣ୍ଟିନା ଦଳ ସାଉଥ ଆଫ୍ରିକାକୁ ଗୋଟିଏ ଗୋଲ୍‌ ଦେଇଥିଲା।

ହକି ବିଶ୍ବକପ୍‌ରେ ଆଜିର ତୃତୀୟ ଓ ଚତୁର୍ଥ ମ୍ୟାଚ୍‌ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଆୟୋଜନ ହେଉଛି। ସନ୍ଧ୍ୟା ୫ଟାରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ମୁକାବିଲା ହେବ। ସେହିପରି ରାତି ୭ଟାରେ ଆୟୋଜକ ଭାରତକୁ ସ୍ପେନ ଭେଟିବ। ଭାରତ ଓ ସ୍ପେନ ମ୍ୟାଚକୁ ହଜାର ହଜାର ଦର୍ଶକ ଅପେକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚି ସାରିଛନ୍ତି। ସେ ହକି ‌ମ୍ୟାଚ ଦେଖିବା ସହିତ ଏଠାରେ ରାତ୍ରିଯାପନ କରିବେ।

Related Posts