ଭୁବନେଶ୍ୱର,୧୬/୧(ସତ୍ୟପାଠ ବ୍ୟୁରୋ): ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ। ତାଙ୍କ କାର୍କେଡ୍ରେ ସାମିଲ ଥିବା ଏକ ଏସ୍କର୍ଟ ଗାଡି ଓଲଟି ପଡିଛି। ଫଳରେ ଏଥିରେ ଥିବା ୫ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ରବିବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ସୂଚନା ମୁତାବକ, ବିହାର ବକ୍ସରରୁ ପାଟଣା ଯାଉଥିବା ବେଳେ ନାରାୟଣପୁର ନିକଟରେ ମନ୍ତ୍ରୀଙ୍କ କାର୍କେଡ୍ ରେ ଥିବା ସୁରକ୍ଷାକର୍ମୀଙ୍କ ଜିପ୍ ଦୁର୍ଘଟଣଗ୍ରସ୍ତ ହୋଇଥିଲା।ଜିପ୍ଟି ଭାରସାମ୍ୟ ହରାଇ ଏକ ଚାଷ ଜମିକୁ ଓଲଟି ପଡିଥିଲା। ଏଥିରେ ଡ୍ରାଇଭର ସମେତ ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଖୋଦ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟର୍ରେ ସେ ଦୁର୍ଘଟଣାଗ୍ରସ୍ତ ଜିପ୍ର ଭିଡିଓ ଫୁଟେଜ ମଧ୍ୟ ପୋଷ୍ଟ କରିଛନ୍ତି।
ଭିଡିଓ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି, ବକ୍ସର୍ରୁ ପାଟନା ଯିବା ବାଟରେ ‘କାର୍କେଡ୍’ରେ ଯାଉଥିବା କୋରାନ୍ସରାଇ ଥାନାର କାର୍ ଡୁମରାଓ ଅନ୍ତର୍ଗତ ମଠିଲା-ନାରାୟଣପୁର ରାସ୍ତାରେ ଥିବା କେନାଲ୍ ପୋଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରଭୁ ଶ୍ରୀରାମଙ୍କ କୃପାରୁ ସମସ୍ତେ ଭଲ ଅଛନ୍ତି।
ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାଡପିଛି। ସେଠାରେ ଆହତଙ୍କ ଚିକିତ୍ସା ଚାଲିଛି। ଗୁରୁତର ଆହତ ହୋଇଥିବା ୨ଜଣ ପୁଲିସ ଅଧିକାରୀଙ୍କୁ ପାଟନାସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’କୁ ସ୍ଥାନାନ୍ତର କରାଯାଇଛି।





