ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ବିଭିନ୍ନ ରାଜ୍ୟ ଓ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ୨୩ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ୧୭ଟି ରାଜ୍ୟ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିବାକୁ ଥିବାବେଳେ ସରକାରଙ୍କର କେତୋଟି ବିଭାଗ ଓ ମନ୍ତ୍ରାଳୟ ମଧ୍ୟ ୬ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିବେ।
ଏ ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୭ଟି ଏବଂ କେତେକ ମନ୍ତ୍ରାଳୟ ଓ ବିଭାଗରୁ ୬ଟି ପ୍ରଜ୍ଞାପନ ମେଢ଼କୁ ମିଶାଇ ସମୁଦାୟ ୨୩ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଏହି ପ୍ରଜ୍ଞାପନ ମେଢ଼ ସବୁ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଅର୍ଥନୈତିକ ଅଗ୍ରଗତି ଏବଂ ବଳିଷ୍ଠ ଅଭ୍ୟନ୍ତରୀଣ ଓ ବାହ୍ୟ ନିରାପତ୍ତା ଉପରେ ଆଧାରିତ।
୧୭ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସବୁ ହେଉଛନ୍ତି, ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ପଶ୍ଚିମବଙ୍ଗ, ଜମ୍ମୁ ଓ କଶ୍ମୀର, ଲଦାଖ, ଦାଦର ନଗର ହାବେଳି ଏବଂ ଦାମନ ଓ ଦ୍ୟୁ, ଗୁଜରାଟ, ହରିୟାଣା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ କେରଳ।
ସେହିପରି, ୬ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିବାକୁ ଥିବା ମନ୍ତ୍ରାଳୟ ଓ ବିଭାଗଗୁଡ଼ିକ ହେଲେ, ସଂସ୍କୃତି ମନ୍ତ୍ରାଳୟ, ଗୃହ ବ୍ୟାପାର ମନ୍ତ୍ରାଳୟ (କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ), ଗୃହ ବ୍ୟାପାର ମନ୍ତ୍ରାଳୟ (ନାର୍କୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ), ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରାଳୟ (ସେଣ୍ଟ୍ରାଲ୍ ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟ୍), ଜନଜାତି ବ୍ୟାପାର ମନ୍ତ୍ରାଳୟ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ (ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚର୍ ରିସର୍ଚ)। ଏଥିରେ ସେମାନେ ଗତ ଅଳ୍ପ କେତେ ବର୍ଷ ତଳେ କରିଥିବା କାର୍ଯ୍ୟ ଓ କୃତିତ୍ବ ପ୍ରଦର୍ଶନ କରିବେ।





