ଭୁବନେଶ୍ୱର,୨୬/୧(ସତ୍ୟପାଠ ବ୍ୟୁରୋ): ୭୪ତମ ସାଧରଣତନ୍ତ୍ର ଦିବସ ପୂର୍ବରୁ ଦେଶର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କେନ୍ଦ୍ର ସରକାର ବୁଧବାର ସଂଧ୍ୟାରେ ଏହି ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ଘୋଷଣା କରାଯାଇଛି। ଏହି ତାଲିକାରେ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ ।ସେହିପରି ପୁରସ୍କାର ତାଲିକାରେ ୧୯ ଜଣ ମହିଳା ସ୍ଥାନ ପାଇଥିବା ବେଳେ ୨ ଜଣ ବିଦେଶୀ ଏବଂ ୭ଟି ମରୋଣତ୍ତର ରହିଛି।
ସେହିପରି ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସଫଳତା ଲାଭ କରିଥିବା ଓଡ଼ିଶାର ୪ ଜଣ ପରିଚିତ ବ୍ୟକ୍ତିତ୍ୱଙ୍କୁ ପଦ୍ମପୁରସ୍କାର ଲାଗି ମନୋନୀତ କରାଯାଇଛି। ସେମାନେ ହେଲେ କଳାକ୍ଷେତ୍ରରେ ମାଗୁଣି ଚରଣ କୁଅଁର, କଳାକ୍ଷେତ୍ରରେ କ୍ରିଷ୍ଣା ପଟେଲ, କୃଷି କ୍ଷେତ୍ରରେ ପଟ୍ଟାୟତ ସାହୁ, ସାହିତ୍ୟ ଓ ଶିକ୍ଷାରେ ଅନ୍ତର୍ଯ୍ୟାମୀ ମିଶ୍ର।
ତେବେ କଣ୍ଢେଇ ନୃତ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ରହିଥିବା କେନ୍ଦୁଝର ସହରର ମାଗୁଣି କୁଅଁରଙ୍କୁ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ କରାଯାଇଛି। ଏକାଧାରରେ ଜଣେ କଣ୍ଢେଇ ନୃତ୍ୟଗୁରୁ, କାଠ, ମାଟି ଓ ପ୍ରସ୍ତରର ନିଖୁଣ କାରିଗର ହେଉଛନ୍ତି ମାଗୁଣି ।ତାଙ୍କୁ ସମସ୍ତେ ନୁନ୍ଦୁ କଣ୍ଢେଇ ଭାବେ ଜାଣନ୍ତି । ସେ ଭଞ୍ଜ ସମ୍ମାନ, ବୁଦ୍ଧ ସମ୍ମାନ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି।
ସେହିପରି ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଂଗବତୀ’ର ଗାୟିକା କ୍ରିଷ୍ଣା ପଟେଲଙ୍କୁ ତାଙ୍କର ସାଂଗୀତିକ ପ୍ରତିଭା ଲାଗି ପଦ୍ମଶ୍ରୀ ପୁରସ୍କାର ଲାଗି ଚୟନ ହୋଇଛନ୍ତି। ୧୯୭୦ରେ ଆକାଶବାଣୀ ସମ୍ବଲପୁରରୁ ତାଙ୍କ ପ୍ରଥମ ଗୀତ ପ୍ରସାରିତ ହୋଇଥିଲା। ଏହାପରେ ସେ ୫୦୦ରୁ ଅଧିକ ଲୋକପ୍ରିୟ ଗୀତ ଗାଇ ସାରିଛନ୍ତି। ସେ ଓଡ଼ିଶା ସଙ୍ଗୀତ ନାଟକ ସମ୍ମାନ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ସହିତ ଅନେକ ସମ୍ମାନ ପାଇଛନ୍ତି।
ସେପଟେ କଳାହାଣ୍ଡି ଜିଲ୍ଲାକୁ ପ୍ରଥମ ଥର ପାଇଁ ପଦ୍ମଶ୍ରୀ ପୁରସ୍କାର ଆସିଛି। କୃଷିକ୍ଷେତ୍ରରେ ସଫଳତା ପାଇଁ ପଟ୍ଟାୟତ ସାହୁଙ୍କୁ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ କରାଯାଇଛି। ବିଲୁପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସେ ସଂରକ୍ଷଣ କରନ୍ତି । ୬୫ ଡିସିମିଲ ଜାଗାରେ ୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରି ଲୋକଙ୍କୁ ସେବା ଯୋଗାଇଥାନ୍ତି ।
ସେହିପରି ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଓଡ଼ିଆ ସାହିତ୍ୟ,ସଂସ୍କୃତି, ଇତିହାସ , ଭାଷାତତ୍ତ୍ବ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି । ତାଙ୍କର ୩୦ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ୨୦୧୯ ରେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ପଦ୍ମ ପୁରସ୍କାର ହେଉଛି ଭାରତର ଏକ ସମ୍ମାନ ଜନକ ପୁରସ୍କାର। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରତି ବର୍ଷ ସାଧରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଏହି ପୁରସ୍କାର ଘୋଷଣା କରାଯାଏ । ପରବର୍ତ୍ତୀ ସମୟରେ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।





