ଭୁବନେଶ୍ୱର,୨୬/୧(ସତ୍ୟପାଠ ବ୍ୟୁରୋ): ଆଜି ସାରା ଭାରତବର୍ଷ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଏହି ଉପଲକ୍ଷେ ଗୁରୁବାର ଭବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ୭୪ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ନିର୍ଦ୍ଧାରିତ ସମୟ ସକାଳ ୮.୨୮ ରେ ପହଞ୍ଚିବା ପରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଓ ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ତାଙ୍କୁ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ୮.୩୦ ମିନିଟ୍ ରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ରାଜ୍ୟ ପୁଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ବାଦନ ପରେ ସୀମା ସୁରକ୍ଷା ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୁଲିସ, ଏସ୍ଏସ୍ ବାଟାଲିୟନ୍, ଏସ୍.ଓ.ଜି, ଅଗ୍ନିଶମ ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟନିର୍ବାହୀ ଦଳ ଓ ପୁଲିସ୍ ବ୍ୟାଣ୍ଡ ପ୍ରଭୃତି ଦଳଙ୍କ ମିଳିତ ପରେଡରେ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିଥିଲେ।

କେସିଙ୍ଗାର ଏସଡିପିଓ ୟଶ ପ୍ରତାପ ଶ୍ରୀମାଲ ଏଥରର ପରେଡର ନେତୃତ୍ୱ ନେଇଛନ୍ତି। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ଧ୍ର ପୁଲିସର ଏକ ଟ୍ରୁପ୍ ପରେଡରେ ସାମିଲ ହୋଇଛି। ତେବେ ଦୁଇବର୍ଷ ପରେ ଚଳିତ ବର୍ଷ ପରେଡ ବିନା କଟକଣା ରେ ଅନୁଷ୍ଠିତ ହେଉଥିବାରୁ ଏଥିରେ ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ସୈନିକ ସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ପରେଡରେ ସାମିଲ ହୋଇଛନ୍ତି। ଭାରତ ସ୍କାଉଟ୍ ଆଣ୍ଡ ଗାଇଡର ଦୁଇଟି ପ୍ଲାଟୁନ୍ ବି ଏଥିରେ ପରେଡ ପ୍ରଦର୍ଶନ କରିଛନ୍ତି।

ବାଇକରେ ଡେୟାରଡେଭିଲର ଦୁଃସାହସିକ କଳା ପ୍ରଦର୍ଶନ ଏହି କାର୍ଯ୍ୟକ୍ରମର ଥିଲା ମୁଖ୍ୟ ଆକର୍ଷଣ। ଏହାସହିତ ଓଡ଼ିଶା ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ ଓ ସ୍କେଟିଂ ଏକାଡେମି ପକ୍ଷରୁ ସ୍କେଟିଂ ପ୍ରଦର୍ଶନ କରାଯାଇଛି। ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ ନୃତ୍ୟ ମଧ୍ୟ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ପ୍ରଦର୍ଶିତ ହୋଇଛି।