ଭୁବନେଶ୍ୱର,୨୬/୧(ସତ୍ୟପାଠ ବ୍ୟୁରୋ): ଆଜି ପବିତ୍ର ଶ୍ରୀପଞ୍ଚମୀ ତଥିରେ ପୁରୀ ରଥଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଛି। ଆଜି ସନ୍ଧ୍ୟାରେ ଏହି କାଠର ପୂଜାର୍ଚ୍ଚନା ହେବ। ରଥ କାର୍ଯ୍ୟ ପାଇଁ ନୟାଗଡ ବନଖଣ୍ଡରୁ ଏହି କାଠ ଆସିଛି।
ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ବାରା ମା’ ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣମାନେ ବନ୍ଦାପନା ସହିତ ପୂଜା କରିବେ । ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ । ସେହିପରି ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି। ପବିତ୍ର ଶ୍ରୀପଞ୍ଚମୀଠାରୁ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଥାଏ । ସରସ୍ବତୀ ପୂଜାରେ ରଥ ନିର୍ମାଣର ଏହା ପାରମ୍ପରିକ ବିଧି । ପ୍ରଥମେ ଚୂନପାଣି ପକାଇ ରଥଖଳାକୁ ପବିତ୍ର କରାଯିବ । ପରେ କାଠ ୩ଟିର ମାଜଣା କରାଯିବ । ଗଜପତି ମହାରାଜଙ୍କ ରାଜଗୁରୁ ଓ ପୁରୋହିତ ବିଧିମତେ କାଠ ତ୍ରୟର ପୂଜାର୍ଚ୍ଚନା କରିବେ । ରଥ ନିର୍ମାଣକ୍ରମରେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ଓ ପବିତ୍ର ଅକ୍ଷୟ ତୃତୀୟ ତିଥିରେ ରଥ ନିର୍ମାଣ ଅନୁକୂଳ କରାଯିବ ।
ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୧୧୮ ଖଣ୍ଡ କାଠ ମହଜୁଦ ଅଛି। ଅବଶିଷ୍ଟ ୭୪୭ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବାକୁ ଥିବାବେଳେ ଗତ ୨୧ ତାରିଖ ସନ୍ଧ୍ୟାରେ ତିନୋଟି ଟ୍ରକରେ ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ କାଠ ପୁରୀରେ ଆସି ପହଞ୍ଚିଛି । ସେଥି ମଧ୍ୟରୁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯିବ । ପର୍ଯ୍ୟାୟ କ୍ରମେ ରଥ ନିର୍ମାଣ ପାଇଁ କାଠ ଟ୍ରକରେ ଆଗାମୀ ଦିନରେ ପୁରୀକୁ ଅଣାଯିବ । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବ । ରଥ ଖଳାରେ ତିନି ରଥ ମହାରଣା ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳିତ ବର୍ଷ ରଥଯାତ୍ରା ବିନା ବାଧାରେ ଶାନ୍ତି ଶୃଙ୍ଖଳାରେ ହେବା ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ଭକ୍ତ ଓ ସେବାୟତ ।
