ମୋର୍‌ବୀ ଝୁଲାପୋଲ ଭାଙ୍ଗିବା ଘଟଣା; ଓରେଭା ଗ୍ରୁପ୍‌ର ମୁଖ୍ୟଙ୍କୁ ଅଭିଯୁକ୍ତ ଭାବେ ଚାର୍ଜସିଟ୍‌ରେ ଦର୍ଶାଇଲା ପୁଲିସ

ଭୁବନେଶ୍ୱର,୨୭/୧(ସତ୍ୟପାଠ ବ୍ୟୁରୋ): ଗୁଜରାଟର ମୋର୍‌ବୀ ଝୁଲାପୋଲ ଭାଙ୍ଗିବା ଘଟଣାରେ ଆଜି ପୁଲିସ ଚାର୍ଜସିଟ୍‌ ଦାଖଲ କରିଛି। ଏହି ଚାର୍ଜସିଟ୍‌ରେ ଅଭିଯୁକ୍ତ ଭାବେ ‘ଓରେଭା ଗ୍ରୁପ୍‌’ର ମୁଖ୍ୟ ଜୟକୁଶ ପଟେଲ୍‌ ବୋଲି ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି।

ତେବେ ଗତବର୍ଷ ଅକ୍ଟୋବର ମାସରେ ଏହି ପୋଲ ଭାଙ୍ଗିପଡ଼ିବାରୁ ପ୍ରାୟ ୧୩୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାର ତଦନ୍ତ ଅଧିକାରୀ ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପି. ଏସ୍‌. ଜଲା ଆଜି ମୋର୍‌ବୀ ସେସନ୍‌ କୋର୍ଟରେ ୧,୨୬୨ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛନ୍ତି। ଏହି ଝୁଲାପୋଲର ନବୀକରଣ ଓ ମରାମତି ପାଇଁ ଠିକା ନେଇଥିବା ‘‌ ଓରେଭା ଗ୍ରୁପ୍‌’ର ମୁଖ୍ୟ ଜୟକୁଶ ପଟେଲ୍‌ଙ୍କୁ ଅନ୍ୟତମ ଅଭିଯୁକ୍ତ ବୋଲି ଚାର୍ଜସିଟ୍‌ରେ ଦର୍ଶାଯାଇଛି। ଏହି ମାମଲାରେ ପଟେଲ୍‌ ହେଲେ ୧୦ମ ଅଭିଯୁକ୍ତ।

ଏହି ସେତୁ ଦୁର୍ଘଟଣା ନିମନ୍ତେ ଦାୟୀ ବୋଲି ଦର୍ଶାଇ ମାଜିଷ୍ଟ୍ରେଟ୍‌ କୋର୍ଟ ମଧ୍ୟ ଜୟକୁଶ ପଟେଲ୍‌ଙ୍କ ନାଁରେ ଗିରଫ ପର୍‌ୱାନା ଜାରି କରିସାରିଛି। ପଟେଲ୍‌ଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ନିମ‌ନ୍ତେ ଫେବ୍ରୁଆରି ୧ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି।

ଏନେଇ ବରିଷ୍ଠ ପୁଲିସ ଅଧିକାରୀ ଅଶୋକ ଯାଦବ କହିଛନ୍ତି, ଯଥାଶୀଘ୍ର ସମ୍ଭବ ତାଙ୍କୁ ଗିରଫ କରିବା ଲାଗି ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏବେ ତାଙ୍କର ପତ୍ତା ମିଳୁନି।

ସୂଚନାଯୋଗ୍ୟ, ଜୟକୁଶ ପଟେଲ୍‌ ହେଉଛନ୍ତି ଓରେଭା ଗ୍ରୁପ୍‌ର ପ୍ରମୋଟର୍‌ ଏବଂ ଅଜନ୍ତା ବ୍ରାଣ୍ଡ୍‌ର କାନ୍ଥଘଣ୍ଟା ତିଆରି କରୁଥିବା ଅଜନ୍ତା ମ୍ୟାନୁଫ୍ୟାକ୍ଚରିଙ୍ଗ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ। ମଚ୍ଛୁ ନଦୀ ଉପରେ ଅବସ୍ଥିତ ଏହି ବ୍ରିଟିସ୍‌ ସମୟର ଝୁଲା ସେତୁର ପରିଚାଳନା ଓ ନବୀକରଣ ପାଇଁ ‘ଅଜନ୍ତା ମ୍ୟାନୁଫ୍ୟାକ୍‌ଚରିଙ୍ଗ୍‌ ଲିମିଟେଡ୍‌’ (ଓରେଭା ଗ୍ରୁପ୍‌) ଦାୟିତ୍ବ ନେଇଥିଲା। କିନ୍ତୁ, କାର୍ଯ୍ୟରେ ତ୍ରୁଟି ଯୋଗୁଁ ୨୦୨୨ ଅକ୍ଟୋବର ୩୦ ତାରିଖ ଦିନ ଏହି ସେତୁ ଭାଙ୍ଗି ପଡ଼ିବାରୁ ୧୩୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

Related Posts