ବିଶ୍ଵ ଧନୀ ତାଲିକାରେ ୭ ନମ୍ବର ସ୍ଥାନକୁ ଖସିଲେ ଗୌତମ ଆଦାନୀ

ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ହିଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏସିଆର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ସଂପତ୍ତିର ପରିମାଣ ୨୨.୫ ମିଲିୟନ ଡଲାର ହ୍ରାସ ପାଇଥିବା ଜଣାପଡ଼ିଛି । ଫଳରେ ମାତ୍ର ୨ ଦିନ ଭିତରେ ସେ ବିଶ୍ୱର ଧନୀ ତାଲିକାରେ ୩ ନମ୍ବର ସ୍ଥାନରୁ ୭ ନମ୍ବର ସ୍ଥାନକୁ ଖସି ଆସିଛନ୍ତି । ତେବେ ଗତ ସେପ୍ଟେମ୍ବର ୨୦୨୨ରେ ଆଦାନୀ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଥିଲେ । ଫୋର୍ବସ ଡାଟା ଅନୁଯାୟୀ ଜାନୁଆରୀ ୨୦୨୩ ସୁଦ୍ଧା ତାଙ୍କ ମୋଟ ସଂପତ୍ତିର ପରିମାଣରେ ଶତକଡ଼ା ୧୯ ଭାଗ ହ୍ରାସ ପାଇଛି ।

ଆଦାନୀ ଏବେ ଧନୀ ତାଲିକାର ୭ ନମ୍ବର ସ୍ଥାନକୁ ଖସିବା ପରେ ଧନୀ ତାଲିକାରେ ମାଇକ୍ରୋସଫ୍‌ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ତଳକୁ ଖସି ଆସିଛନ୍ତି । ପ୍ରଥମ ଥର ପାଇଁ ଆଦାନୀଙ୍କ ସଂପତ୍ତିରେ ଏଭଳି ବୃହତ୍ ହ୍ରାସ ପାଇଛି । କଂପାନୀର ସେୟାର ମୂଲ୍ୟ ହ୍ରାସ ପାଇବା ପରେ ଏଭଳି ବିପର୍ଯ୍ୟୟ ଘଟିଥିବା କୁହାଯାଉଛି ।ହିଡେନ୍‌ବର୍ଗ ରିପୋର୍ଟ ଆଦାନୀ ଗ୍ରୁପ୍ କଂପାନୀ ଉପରେ ଷ୍ଟକ୍ ମ୍ୟାନିପୁଲେସନ ଅଭିଯୋଗ ଆଣିଛି । ମ୍ୟାନିପୁଲେସନ କରି କଂପାନୀର ଧନୀ ତାଲିକାର ଉପରକୁ ଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ଏବଂ ଏଭଳି କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲିଛି।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦୁଇ ବର୍ଷର ଅନୁସନ୍ଧାନ ପରେ କଂପାନୀ ଏହି ରିପୋର୍ଟ ପ୍ରକାଶ କରିଛି । ତେବେ ପୂର୍ବରୁ ବିଶ୍ୱର ଧନୀ ତାଲିକାରେ ଆଦାନୀ ଦ୍ରୁତ ଗତିରେ ଉପରକୁ ଉଠୁଥିଲେ । ଗତବର୍ଷ ସେପ୍ଟେମ୍ବରରେ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଥିଲେ।ଏପ୍ରିଲରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ତାଙ୍କର ନେଟ ୱର୍ଥ ୧୦୦ ବିଲିୟନ ଡଲାର ଟପିଥିଲା । ପରେ ସେ ବିଲ୍‌ ଗେଟ୍ସଙ୍କୁ ପଛରେ ପକାଇ ୪ର୍ଥ ସ୍ଥାନରେ ରହିବା ପରେ ଅଗଷ୍ଟରେ ୩ୟ ସ୍ଥାନକୁ ଉଠିଥିଲେ ।ତେବେ ହିଡେନ୍‌ବର୍ଗ ରିପୋର୍ଟର ଷ୍ଟକ୍ ମ୍ୟାନିପୁଲେସନ ଅଭିଯୋଗ ପରେ ଆଦାନୀ ଗ୍ରୁପ୍ ୭ ନମ୍ବର ସ୍ଥାନକୁ ଖସି ଆସିଛି। ତେବେ ଏ ସମସ୍ତ ଅଭିଯୋଗକୁ ଆଦାନୀ ଗ୍ରୁପ୍ ପକ୍ଷରୁ ଖଣ୍ଡନ କରାଯାଇଛି ।

Related Posts