ଆଦାନୀଙ୍କ ସଂପତ୍ତି ପରିମାଣରେ ବୃହତ୍ ହ୍ରାସ; ବିଶ୍ଵ ଧନୀ ତାଲିକାରେ ୧୧ ନମ୍ବର ସ୍ଥାନକୁ ଖସିଲେ

ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଗୌତମ ଆଦାନୀ ବିଶ୍ୱ ଧନୀ ତାଲିକାର ଟପ୍-୧୦ ରୁ ଆଉଟ୍ ହୋଇଯାଇଛନ୍ତି। ବିଶ୍ୱ ଧନୀ ତାଲିକାରେ ତାଙ୍କ ସ୍ଥାନ ଏବେ ୧୧ ନମ୍ବର ସ୍ଥାନକୁ ଖସିଆସିଛି। ବ୍ଲୁମ୍‌ବର୍ଗ ବିଲିୟନାୟର ଇଣ୍ଡେକ୍ସ ଅନୁଯାୟୀ, ଏହି ତାଙ୍କ ସଂପତ୍ତିରେ ପୁଣି ଥରେ ବୃହତ୍ ହ୍ରାସ ପରେ ଏଭଳି ଖବର ସାମ୍ନାକୁ ଆସିଛି। ମାତ୍ର ୩ ଦିନ ଭିତରେ ଆଦାନୀଙ୍କ ସଂପତ୍ତିରେ ୩୪ ବିଲିୟନ ଡଲାର ହ୍ରାସ ପାଇଛି। ଫଳରେ ବିଶ୍ୱର ଟପ୍ ଟେନ୍ ଧନୀ ତାଲିକାରୁ ସେ ଆଉଟ୍ ହୋଇଯାଇଥିବା ଜଣାପଡ଼ିଛି।

ତେବେ ନିକଟରେ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏସିଆର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ସଂପତ୍ତିର ପରିମାଣ ୨୨.୫ ମିଲିୟନ ଡଲାର ହ୍ରାସ ପାଇଥିଲା । ଫଳରେ ମାତ୍ର ୨ ଦିନ ଭିତରେ ସେ ବିଶ୍ୱର ଧନୀ ତାଲିକାରେ ୩ ନମ୍ବର ସ୍ଥାନରୁ ୭ ନମ୍ବର ସ୍ଥାନକୁ ଖସି ଆସିଥିଲେ। ଆଉ ଏବେ ସେ ୭ ନମ୍ବର ସ୍ଥାନରୁ ୧୧ ନମ୍ବରକୁ ଖସି ଆସିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୦୨୨ରେ ଆଦାନୀ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଥିଲେ। ଫୋର୍ବସ ଡାଟା ଅନୁଯାୟୀ ଜାନୁଆରୀ ୨୦୨୩ ସୁଦ୍ଧା ତାଙ୍କ ମୋଟ ସଂପତ୍ତିର ପରିମାଣରେ ଶତକଡ଼ା ୧୯ ଭାଗ ହ୍ରାସ ପାଇଥିଲା । ପ୍ରଥମ ଥର ପାଇଁ ଆଦାନୀଙ୍କ ସଂପତ୍ତିରେ ଏଭଳି ବୃହତ୍ ହ୍ରାସ ପାଇଛି। କଂପାନୀର ସେୟାର ମୂଲ୍ୟ ହ୍ରାସ ପାଇବା ପରେ ଏଭଳି ବିପର୍ଯ୍ୟୟ ଘଟିଥିବା କୁହାଯାଉଛି। ହିଡେନ୍‌ବର୍ଗ ରିପୋର୍ଟ ଆଦାନୀ ଗ୍ରୁପ୍ କଂପାନୀ ଉପରେ ଷ୍ଟକ୍ ମ୍ୟାନିପୁଲେସନ ଅଭିଯୋଗ ଆଣିଛି। ମ୍ୟାନିପୁଲେସନ କରି କଂପାନୀ ଧନୀ ତାଲିକାର ଉପରକୁ ଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦୁଇ ବର୍ଷର ଅନୁସଂଧାନ ପରେ କଂପାନୀ ଏହି ରିପୋର୍ଟ ପ୍ରକାଶ କରିଛି। ତେବେ ପୂର୍ବରୁ ବିଶ୍ୱର ଧନୀ ତାଲିକାରେ ଆଦାନୀ ଦ୍ରୁତ ଗତିରେ ଉପରକୁ ଉଠୁଥିଲେ। ଗତବର୍ଷ ସେପ୍ଟେମ୍ବରରେ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଥିଲେ।ଏପ୍ରିଲରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ତାଙ୍କର ନେଟ ୱର୍ଥ ୧୦୦ ବିଲିୟନ ଡଲାର ଟପିଥିଲା। ପରେ ସେ ବିଲ୍‌ ଗେଟ୍ସଙ୍କୁ ପଛରେ ପକାଇ ୪ର୍ଥ ସ୍ଥାନରେ ରହିବା ପରେ ଅଗଷ୍ଟରେ ୩ୟ ସ୍ଥାନକୁ ଉଠିଥିଲେ ।ତେବେ ହିଡେନ୍‌ବର୍ଗ ରିପୋର୍ଟର ଷ୍ଟକ୍ ମ୍ୟାନିପୁଲେସନ ଅଭିଯୋଗ ପରେ ଆଦାନୀ ଗ୍ରୁପ୍ ୧୧ ନମ୍ବର ସ୍ଥାନକୁ ଖସି ଟପ୍ ଟେନ୍ ଧନୀ ତାଲିକାରୁ ଆଉଟ୍ ହୋଇଯାଇଛନ୍ତି। ଏଠି କହି ରଖିବୁଯେ,ଏ ସମସ୍ତ ଅଭିଯୋଗକୁ ଆଦାନୀ ଗ୍ରୁପ୍ ପକ୍ଷରୁ ପୂର୍ବରୁ ଖଣ୍ଡନ କରାଯାଇଛି।

Related Posts