ଭୁବନେଶ୍ୱର,୧/୨(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ସମୟର ଅପେକ୍ଷା । ବୁଧବାର ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍କୁ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ନରେନ୍ଦ୍ର ମୋଦି ସରକାରଙ୍କ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ । ରିପୋର୍ଟ ମୁତାବକ ଅର୍ଥମନ୍ତ୍ରୀ ସୀତାରମଣ ଏବେ ସଂସଦ ଭବନରେ ପହଞ୍ଚି ଛନ୍ତି ୧୦ଟା ୧୫ରେ କ୍ୟାବିନେଟ୍ ବୈଠକ ବସିବ, ଯେଉଁଠାରେ ବଜେଟ୍କୁ ଚୂଡ଼ାନ୍ତ ଅନୁମୋଦନ ମିଳିବ । ଏହାପରେ ପୂର୍ବାହ୍ନ ୧୧ଟାରେ ଲୋକସଭାରେ ସୀତାରମଣଙ୍କ ବଜେଟ୍ ଅଭିଭାଷଣ ଆରମ୍ଭ ହେବ ।
ଏହାପରେ ଅପରାହ୍ନ ୩ଟାରେ ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଞ୍ଚମ ଥର ଲାଗି ବଜେଟ ଉପସ୍ଥାପନ କରିବେ । ୨୦୨୧ ଏବଂ ୨୦୨୨ ଭଳି ଚଳିତ ସାଧାରଣ ବଜେଟ ପେପରଲେସ ବା କାଗଜବିହୀନ ହେବ । ଏହା ଉପରେ ସବୁ ବର୍ଗଙ୍କ ନଜର । ଅର୍ଥମନ୍ତ୍ରୀଙ୍କଠାରୁ ଅନେକ ଆଶା ବାନ୍ଧିଛି ମଧ୍ୟବିତ୍ତ । କରୋନା ମହାମାରୀ ପରେ ସାଧାରଣ ଖାଉଟି ଦରଦାମ ସମସ୍ୟାର ସାମ୍ନା କରୁଛି । ସମସ୍ତଙ୍କ ଆଶା ପୂରଣ ଦିଗରେ କେନ୍ଦ୍ର ସରକାର କିଛି ପଦକ୍ଷେପ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏବେ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟଠାରୁ ଉଚ୍ଚରେ ରହିଛି । ବଜାରରେ ଦରଦାମ ଚାପ ଲାଗି ରହିଛି । ତେଣୁ ସରକାର ମଧ୍ୟ ବିଭିନ୍ନ ଦିଗକୁ ଧ୍ୟାନରେ ଦେବେ ବୋଲି ବଜାର ବିଶେଷଜ୍ଞ କହିଛନ୍ତି ।ଅପରପକ୍ଷରେ ଭାରତ ଏହାର ଅଭିବୃଦ୍ଧି ଧାରା ଜାରି ରଖିବ । ଏଭଳି ସ୍ଥିତିରେ ଅଭିବୃଦ୍ଧିକୁ ପ୍ରୋତ୍ସାହନ ତଥା ଲୋକଙ୍କୁ ଆଶ୍ୱସ୍ତି କଲା ଭଳି ପଦକ୍ଷେପ ଅର୍ଥମନ୍ତ୍ରୀ ଘୋଷଣା କରିବେ ବୋଲି ଆଶା କରାଯାଉଛି । ବେତନଭୋଗୀଙ୍କ ଲାଗି ଟିକସ ରିହାତି ଏବଂ କ୍ଷୁଦ୍ର ବ୍ୟବସାୟଗୁଡିକ ଲାଗି ଏଥର ବଜେଟରେ ଆଶ୍ୱସ୍ତି ଆସିପାରେ ।
୨.୫ ଲକ୍ଷ ଟଙ୍କାର ଟିକସ ଛାଡ଼ ସୀମାକୁ ୫ ଲକ୍ଷ ଯାଏ ବଢ଼ାଇବାକୁ ଏବଂ ବିଶେଷ କରି ଡିଡକ୍ସନ ସୀମାରେ ବୃଦ୍ଧି କରିବା ଲାଗି ଟିକସଦାତା ଦାବି କରି ଆସୁଛନ୍ତି । ସେହିଭଳି ବିଭିନ୍ନ ସ୍ଲାବରେ ପରିବର୍ତ୍ତନ ଦିଗରେ ଅର୍ଥମନ୍ତ୍ରୀ କିଭଳି ଘୋଷଣା କରୁଛନ୍ତି ସେ ଉପରେ ନଜର ରହିଛି । ଆୟକର ଆଇନ ୮୦ସିରେ ମିଳୁଥିବା ଟିକସ ସୁବିଧା ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି ହେଉ ବୋଲି ବଜାର ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଗୃହ ଋଣ କ୍ଷେତ୍ରରେ ଛାଡ଼ ସୀମା ବଢ଼ିଲେ ରେସିଡେନ୍ସିଆଲ ପ୍ରପର୍ଟିରେ ନିବେଶ ନେଇ ଅଧିକ ଲୋକ ଆଗ୍ରହ ଦେଖାଇବେ । ଏହା ଦ୍ୱାରା ରିୟଲ ଇଷ୍ଟେଟ କ୍ଷେତ୍ରର ଅଭିବୃଦ୍ଧି ଏବଂ ନିଯୁକ୍ତି ବଢ଼ିବ । ଗୃହ ଋଣ କ୍ଷେତ୍ରରେ ଡିଡକ୍ସନ ସୀମା ୩ ଲକ୍ଷ ଯାଏ ବୃଦ୍ଧି ହେଉ ବୋଲି ଦାବି ରଖାଯାଇଛି । ରୁଷ-ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱ ଅର୍ଥବ୍ୟବସ୍ଥା ସଙ୍କଟ ସ୍ଥିତିକୁ ଚାଲିଯାଇଛି । ସାରା ବିଶ୍ୱ ମାନ୍ଦାବସ୍ଥା ଦେଇ ଗତି କରୁଛି । ତେବେ ଭାରତର ସ୍ଥିତି ଅପେକ୍ଷାକୃତ ଭଲ ରହିଛି । ଏଭଳି ସ୍ଥିତିରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
ଆଜି ଅର୍ଥମନ୍ତ୍ରୀ ମଧ୍ୟବିତ୍ତଙ୍କୁ ଖୁସି କରିବେ ବୋଲି ଆଶା କରାଯାଉଛି । ଦେଶ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ନିର୍ମାଣକୁ ପ୍ରୋତ୍ସାହନ, ଷ୍ଟାର୍ଟଅପ୍ଗୁଡିକ ଲାଗି ନୂଆ ସୁବିଧା, ଘରୋଇ ଇକ୍ୱିଟି ଏବଂ ଭେଞ୍ଚର କ୍ୟାପିଟାଲ କ୍ଷେତ୍ରରେ ସରଳ ଓ ସ୍ୱତନ୍ତ୍ର ଟିକସ ନୀତି ଆସିବା ନେଇ ବଜାରର ଆଶା ରହିଛି । ଏବେ ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇଥିବାରୁ କୃଷି କ୍ଷେତ୍ର ଲାଗି ବିଶେଷ ବ୍ୟୟବରାଦ, ଇ-ଯାନକୁ ପ୍ରୋତ୍ସାହନ ଭଳି ପଦକ୍ଷେପ ନେଇ ଆଶା କରାଯାଉଛି । ସାଧାରଣ ବଜେଟ ଆଗାମୀ ୨୫ ବର୍ଷକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯିବ ବୋଲି କିଛି ଦିନ ପୂର୍ବେ ଅର୍ଥମନ୍ତ୍ରୀ କହିଥିଲେ । ନିଜେ ମଧ୍ୟବିତ୍ତ ପରିବାରରୁ ଆସୁଥିବାରୁ ମଧ୍ୟବିତ୍ତଙ୍କ ଦୁଃଖ ବୁଝୁଛି ବୋଲି ସେ କହିଥିଲେ । ତେବେ ବଜେଟରେ ମଧ୍ୟବିତ୍ତ ବର୍ଗଙ୍କ ଲାଗି ବିଶେଷ ଘୋଷଣା ହୋଇପାରେ ବୋଲି ଆଶା ରହିଛି । ବିତ୍ତୀୟ ନିଅଣ୍ଟ ଉଚ୍ଚରେ ରହୁଥିବାରୁ ବଜେଟରେ ଲୋକଙ୍କୁ ଖୁସି କଲା ଭଳି ବିଶେଷ ଘୋଷଣା ହୋଇ ନପାରେ ବୋଲି ମଧ୍ୟ ବଜାର ବିଶେଷଜ୍ଞ ଅନୁମାନ କରୁଛନ୍ତି।





