ଭୁବନେଶ୍ୱର,୩/୨(ସତ୍ୟପାଠ ବ୍ୟୁରୋ): ୨୦୧୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୨୧ ଥର ବିଦେଶ ଗସ୍ତ କରିଛନ୍ତି। ତେବେ ଏହି ସମୟସୀମା ମଧ୍ୟରେ ଦୁଇ ବର୍ଷ ମହାମାରୀ କରୋନାର ପ୍ରଭାବ ମଧ୍ୟ ଦେଖାଯାଇଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କୌଣସି ବିଦେଶ ଗସ୍ତ କରି ନଥିଲେ। ତେବେ ମୋଦି ୨୦୧୯ ଠାରୁ ଇତି ମଧ୍ୟରେ କରିଥିବା ୨୧ଟି ବିଦେଶ ଗସ୍ତ ସମୟରେ ସରକାରୀ ତହବିଲରୁ ୨୨.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏନେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି।
ଏଥିସହ ରାଷ୍ଟ୍ରପତି ୨୦୧୯ ଠାରୁ ଏପର୍ଯ୍ୟନ୍ତ ମୋଟ ୮ଥର ବିଦେଶ ଗସ୍ତ କରିଥିବା ବେଳେ ଏଥିପାଇଁ ୬.୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ତେବେ ରାଷ୍ଟ୍ରପତିଙ୍କ ୮ଥର ବିଦେଶ ଗସ୍ତ ମଧ୍ୟରୁ ରାମନାଥ କୋବିନ୍ଦ ୭ଥର ଓ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାତ୍ର ଗୋଟିଏ ଥର ବିଦେଶ ଯାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଗତବର୍ଷ ସେପ୍ଟେମ୍ବର ମାସରେ ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ସାମିଲ ହେବାପାଇଁ ବ୍ରିଟେନ ଗସ୍ତ କରିଥିଲେ।
ସେହିଭଳି ୨୦୧୯ ଠାରୁ ଏପର୍ଯ୍ୟନ୍ତ ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍ ଜୟଶଙ୍କର ମୋଟ ୮୬ ଥର ବିଦେଶ ଗସ୍ତ କରିଛନ୍ତି। ତାଙ୍କର ବିଦେଶ ଗସ୍ତ ପାଇଁ ୨୦.୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ସରକାରଙ୍କ ତଥ୍ୟ ଅନୁଯାୟୀ, ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତରେ ୬,୨୪,୩୧,୪୨୪ ଟଙ୍କା, ପ୍ରଧାନମନ୍ତ୍ରୀଙ୍କ ପାଇଁ ୨୨,୭୬,୭୬,୯୩୪ ଟଙ୍କା ଓ ବୈଦେଶିକ ବ୍ୟାପର ମନ୍ତ୍ରୀଙ୍କ ବିଦେଶ ଗସ୍ତରେ ମୋଟ ୨୦,୮୭,୦୧,୪୭୫ ଟଙ୍କା ଖର୍ଚ୍ଚ ହୋଇଛି।





