ଅବକାରୀ ଦୁର୍ନୀତିରୁ ଆୟ କରିଥିବା ଟଙ୍କା ଗୋଆ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିଛି ଆପ୍: ଇଡି ଚାର୍ଜସିଟ୍

ଭୁବନେଶ୍ୱର,୨/୨(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତିରୁ ଆୟ କରିଥିବା ଟଙ୍କାକୁ ଗୋଆରେ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରୁଥିଲା ଆମ ଆଦମୀ ପାର୍ଟି (ଆପ)। ଅବକାରୀ ଦୁର୍ନୀତି ଅଭିଯୋଗରେ ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏ ନେଇ ତଦନ୍ତ କରୁଥିବା ଇଡି ତା ଚାର୍ଜସିଟ୍ ରେ ଦର୍ଶାଇଛି। ଏଥିରୁ ଆଦାୟ ହୋଇଥିବା ଟଙ୍କାରୁ କିଛି ନିର୍ବାଚନରେ ଖର୍ଚ୍ଚ କରିଥିଲା ବୋଲି ଇଡି କହିଛି। ତେବେ ୨୦୨୨ରେ ହୋଇଥିବା ଗୋଆ ନିର୍ବାଚନରେ ଆପ୍ ମାତ୍ର ୨ଟି ସିଟ୍ ଜିତିଥିଲା।

ଇଡିର ଚାର୍ଜସିଟ୍ ଅନୁଯାୟୀ, ଆପର ପ୍ରଚାର ଟିମ ସହ ଜଡ଼ିତ ଥିବା ସ୍ୱେଚ୍ଛାସେବୀମାନଙ୍କୁ ପ୍ରାୟ ୭୦ଲକ୍ଷ ଟଙ୍କା ନଗଦ ଅର୍ଥ ପ୍ରଦାନ କରାଯାଇଥିଲା। ଆପର ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାର ପ୍ରଚାର ସମ୍ବନ୍ଧୀୟ କାର୍ଯ୍ୟରେ ଜଡିତ କିଛି ବ୍ୟକ୍ତିଙ୍କୁ ନଗଦ ଅର୍ଥ ଗ୍ରହଣ କରିବାକୁ କହିଥିଲେ। ୱାଇଏସଆରସିପି ସାଂସଦ ମାଗୁଣ୍ଟା ଶ୍ରୀନିବସୁଲୁ ରେଡ୍ଡୀ, ତାଙ୍କ ପୁଅ ରାଘବ ମାଗୁଣ୍ଟା, ଅରୋବିନ୍ଦ ଫାର୍ମା ନିର୍ଦ୍ଦେଶକ ପି ସାରଥ ଚନ୍ଦ୍ର ରେଡ୍ଡୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତା କଲଭକୁନ୍ତଲାଙ୍କୁ ନେଇ ଗଠିତ ଗ୍ରୁପ ତରଫରୁ ଆପ୍ ପାଇଁ ବିଜୟ ନାୟାର ୧୦୦କୋଟି ଟଙ୍କା ଲାଞ୍ଚ ନେଇଥିଲେ।

ଏହି ଟଙ୍କାକୁ ହସ୍ତାନ୍ତରଣ ପ୍ରକ୍ରିୟାରେ ହାଇଦ୍ରାବାଦର ବ୍ୟବସାୟୀ ଅଭିଷେକ ବୋଇନାପଲ୍ଲୀ ସାମିଲ୍ ଥିଲେ। ସେ ମନୀଷ ସିସୋଦିଆଙ୍କ ବନ୍ଧୁ ଦିନେଶ ଅରୋରାଙ୍କ ସହ ମିଶି ଏହି କାମ କରିଥିଲେ ବୋଲି ଇଡି କହିଛି। ତେବେ ଘଟଣା ପ୍ରତିକ୍ରିୟା ଦେଇ ଆପ୍ କହିଛି ଇଡିର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଳକଳ୍ପିତ।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି ଯେ, ଇଡି ଚାର୍ଜସିଟ୍ ପୂରା କାହାଣୀ। ଇଡିର ପୂରା କାର୍ଯ୍ୟକାଳରେ ୫୦୦ ଚାର୍ଜସିଟ୍ ଦାଖଲ ହୋଇଥିବ। ତେବେ ଏଥିରୁ କେତେ ଲୋକଙ୍କୁ ଦଣ୍ଡ ମିଳିଛି ? ସବୁ ମାମଲା ମିଛ ହୋଇଥାଏ। ଇଡିର ବ୍ୟବହାର କେବଳ ବିଧାୟକ କିଣିବା ଓ ସରକାର ଭାଙ୍ଗିବା ଉଦ୍ଦେଶ୍ୟରେ କରାଯାଇଥାଏ ବୋଲି କେଜରିୱାଲ୍ କହିଛନ୍ତି।

Related Posts