ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): ବନବିଭାଗ ହେପାଜତରେ କର୍ମଚାରୀଙ୍କ ନିର୍ଘାତ ମାଡରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ ରେଞ୍ଜର ସମେତ ୬ ଜଣ ବନ କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି । ବଡମ୍ବା ବନାଞ୍ଚଳରେ ଗତ ୩୧ ତାରିଖରେ ଏକ ଛୁଆ ଦନ୍ତା ହାତୀ ଶିକାର ହେବା ଓ ଶିକାରୀ ହାତୀର ଦାନ୍ତ କାଟି ନେଇଥିବା ଜଣାପଡିଥିଲା । ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାକୁ ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତି ସହକାରୀ ବନ ସଂରକ୍ଷକ ଘନଶ୍ୟାମ ମୁଦୁଲିଙ୍କୁ ଦାୟିତ୍ଵ ଦେଇଥିଲେ ।
ଏସିଏଫ ମୁଦୁଲିଙ୍କ ନେତୃତ୍ବରେ ତଦନ୍ତ ଚାଲିଥିବାବେଳେ ବଡମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା ଅନ୍ୟ ବନ କର୍ମଚାରୀଙ୍କ ସହାୟତାରେ ବଡମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗ୍ରାମର ଧନେଶ୍ଵର ବେହେରାଙ୍କୁ ଗତ ଶନିବାର ବଡ଼ମ୍ବା ଏକ ପେଟ୍ରୋଲ ପମ୍ପ ନିକଟରୁ ଉଠାଇ ନେଇ ପ୍ରଥମେ ବଡ଼ମ୍ବା ବନାଞ୍ଚଳ କାର୍ଯ୍ୟାଳୟରେ ଏବଂ ପରେ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ତିଗିରିଆର ହରିଡାପଶିସ୍ଥିତ ବିଟ୍ ହାଉସରେ ରଖି ପଚରାଉଚୁରା କରିଥିଲେ । ପଚରାଉଚୁରା ସମୟରେ ଧନେଶ୍ଵରଙ୍କୁ ପ୍ରବଳ ମାଡ ମରାଯିବା କାରଣରୁ ସେ ଗୁରୁତର ହୋଇ ସଜ୍ଞାହୀନ ହୋଇଯିବାରୁ ତାଙ୍କୁ ବିଳମ୍ବିତ ରାତିରେ ତିଗିରିଆ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଧନେଶ୍ଵରଙ୍କୁ ମୃତ ଘୋଷଣା କରିବା ପରେ ତାଙ୍କୁ ନେଇ ଯାଇଥିବା ସମସ୍ତ ବନବିଭାଗ ଅଧିକାରୀ ଓ କର୍ମଚାରୀ ତରବରିଆ ଭାବେ ସେଠାରୁ ଚମ୍ପଟ ମାରିଥିଲେ । ଡାକ୍ତରଖାନାରୁ ସୂଚନା ପାଇ ତିଗିରିଆ ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିଥିଲା ।
ପରେ ପରେ ତିଗିରିଆ ଓ ଆଠଗଡ଼ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବନବିଭାଗର ଦୁଇଜଣ ଏସିଏଫ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ, ବଡମ୍ବା ରେଞ୍ଜର ସୁବ୍ରତ କୁମାର ବେହେରାଙ୍କ ସମେତ ବନପାଳ ଏବଂ ବନରକ୍ଷୀଙ୍କୁ ମିଶାଇ ମୋଟ ୧୪ ଜଣଙ୍କୁ ଧରିଆଣି ଆଠଗଡ ଥାନାରେ ଅଟକ ରଖିଥିଲେ । କଟକ ଗ୍ରାମାଞ୍ଚଳ ଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଆଠଗଡ ଏସଡିପିଓ ବିଜୟ କୁମାର ବିଶି, ଆଠଗଡ ଓ ତିଗିରିଆ ଆଇଆଇସି ଦୁଇଦିନ ଧରି ମାରାଥନ ଜେରା ପରେ ମିଳିଥିବା ପ୍ରମାଣ ଆଧାରରେ ବୁଧବାର ଅପରାହ୍ନରେ ୬ ଜଣଙ୍କୁ ଗିରଫ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସଡିପିଓ ଶ୍ରୀ ବିଶିଙ୍କ ସୂତ୍ରରୁ ସୂଚନା ମିଳିଛି। ଗିରଫ ବନ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ବଡମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା, ବିପୁଳ ମନୋଜ ଦାସ ଓ ଦୀପକ କୁମାର ସେଠୀ, ବନରକ୍ଷୀ ସୋନାୟକ ମାଝି, କୁନା ବେହେରା ଓ ପ୍ରଭାତ ପ୍ରଧାନ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କର ଆଠଗଡ ଡାକ୍ତରଖାନାରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ କଟକସ୍ଥିତ ସ୍ଵତନ୍ତ୍ର ଅଦାଲତରେ ହାଜର ପାଇଁ କଡା ପୁଲିସ ସୁରକ୍ଷା ମଧ୍ୟରେ ନିଆଯାଇଥିବା ଏସଡିପିଓ ଶ୍ରୀ ବିଶି କହିଛନ୍ତି।
