ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ସାଂସଦଙ୍କ ପୁଅକୁ ଗିରଫ କଲା ଇଡି

ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁତ୍ର ମଙ୍ଗୁଟା ରାଘବଙ୍କୁ ଶୁକ୍ରବାର ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ବାରବାର ସମ୍ପର୍କିତ ବିଷୟକୁ ନେଇ ମଙ୍ଗୁଟା ରାଘବଙ୍କୁ ଭେଟିଥିବା ଇଡି ତାର ଅଭିଯୋଗପତ୍ରରେ ଦର୍ଶାଇଛି।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସରେ ଇଡି ଚେନ୍ନାଇର ଟି. ନଗରସ୍ଥିତ ଏକ ଅଡିଟ୍‌ ଫାର୍ମରେ ଚଢ଼ାଉ କରିଥିଲା। ଉକ୍ତ ଫାର୍ମ ‘ୱାଇଏସ୍‌ଆର୍‌ସିପି’ର ସାଂସଦ ଶ୍ରୀନିବାସୁଲୁ ରେଡ୍ଡୀଙ୍କ ସହିତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଇଥିଲା। ପୂର୍ବରୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଝିଅ କେ. କବିତାଙ୍କ ପୂର୍ବତନ ଅଡିଟର୍‌ ବୁଟ୍‌ଚିବାବୁ ଗୋରାନ୍ତ୍‌ଲାଙ୍କୁ ସିବିଆଇ ଗିରଫ କରିଥିଲା। ଏହା ପରେ ଶୁକ୍ରବାର ଏହି ମାମାଲାରେ ମଙ୍ଗୁଟା ରାଘବଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ମାମଲାରେ ଡିସେମ୍ବର ୧୨ ତାରିଖ ଦିନ ସିବିଆଇ ଟିମ୍‌ ହାଇଦ୍ରାବାଦରେ କେ. କବିତାଙ୍କୁ ୭ ଘଣ୍ଟା ଜେରା କରିଥିଲା।

ଏହି ଅବକାରୀ ଦୁର୍ନୀତି ମାମଲାରେ ହୋଇଥିବା ଲାଞ୍ଚ କାରବାରରେ ‘ସାଉଥ୍‌ କାର୍ଟେଲ୍‌’ର ଅଂଶୀଦାର ଥିବା କେ. କବିତା ଉପକୃତ ହୋଇଥିଲେ ବୋଲି ‘ସିବିଆଇ’ କହିଥିଲା। ଦିଲ୍ଲୀ ଅବକାରୀ ଦୁର୍ନୀତି ନେଇ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତରଫରୁ କୋର୍ଟରେ ଦାଏର କରାଯାଇଥିବା ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଝିଅ କେ କବିତାଙ୍କର ନାଁ ରହିଛି। ବିବାଦୀୟ ଅବକାରୀ ନୀତିକୁ ଦିଲ୍ଲୀ ସରକାର ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ଏହାକୁ ନେଇ ଯେଉଁ ଦୁର୍ନୀତି ଘଟିଛି ତାହା ଉପରେ ବର୍ତ୍ତମାନ ତଦନ୍ତ ଅବ୍ୟାହତ ରହିଛି। ଏଥିସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଅନେକ ଅଭିଯୁକ୍ତଙ୍କ ସହ କବିତାଙ୍କ ନାଁ ମଧ୍ୟ ରହିଛି। ଇଡି ତଦନ୍ତରୁ ଜାଣିପାରିଛି ଯେ, କେ କବିତା ହେଉଛନ୍ତି ‘ସାଉଥ୍ ଗ୍ୟାଙ୍ଗ୍’ର ଜଣେ ସଦସ୍ୟ ଯେଉଁମାନେ ଅବକାରୀ ଦୁର୍ନୀତି ପ୍ରବର୍ତ୍ତନ ସମୟରେ ଆମ୍‌ ଆଦ୍‌ମୀ ପାର୍ଟି ସରକାରକୁ ପ୍ରାୟ ୧୦୦ କୋଟି ଟଙ୍କା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଇଡି ଦୁଇଟି ଚାର୍ଜସିଟ୍‌ ଦାଖଲ କରି ସମୁଦାୟ ୯ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

Related Posts