ଭୁବନେଶ୍ୱର,୧୩ /୨(ସତ୍ୟପାଠ ବ୍ୟୁରୋ): ଓଡିଶା ରାଜନୀତିରେ ନବୀନ ବାବୁ ଓ ବିଜୁ ଜନତା ଦଳର ଆବିର୍ଭାବ ଯେବେଠୁ ହୋଇଛି ସେବେଠାରୁ ରାଜ୍ୟ ରାଜନୀତିରେ ଏକ ନୂଆ ଟ୍ରେଣ୍ଡର ଆଧିପତ୍ୟ କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଆଉ ସେ ଟ୍ରେଣ୍ଡଟି ହେଉଛି ବ୍ୟୁରୋକ୍ରାଟ ବା ବାବୁମାନଙ୍କର ରାଜନୈତିକ ଦଳ ଭିତରେ ଚାହିଦା, ରାଜନୈତିକ ଦଳମାନଙ୍କର ତାଙ୍କ ପ୍ରତି ଅତ୍ୟଧିକ ଆକର୍ଷଣ ଆଉ ବ୍ୟୁରୋକ୍ରାଟ ମାନେ ମଧ୍ୟ ଚାକିରୀ ଛାଡି ବା ରିଟାର୍ଡ ହେବାପରେ ରାଜନୀତି ପ୍ରତି ଅଧିକ ଆକୃଷ୍ଟ ହେବା ଓ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବା।

ନିକଟରେ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଇଛନ୍ତି । ଏ ସେହି ବିଜୟ ପଟ୍ଟନାୟକ ଯିଏ ପ୍ରଶାସନିକ ଅଧିକାରୀ ଭାବରେ ଯେତେବେଳେ ଅବସର ନେଲେ ସେ ସମୟରେ ତାଙ୍କୁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ପଚାରିଛନ୍ତି ଯେ, ଅବସର ପରେ ଆପଣ ରାଜନୀତିରେ ଅଂଶଗ୍ରହଣ କରିବେ କି ? ସେତେବେଳେ ବିଜୟ ପଟ୍ଟନାୟକଙ୍କ ଉତ୍ତର ଏକଦମ ରୋକଠୋକ ନାଁ ଥିଲା। ସେ ଏପରି ମଧ୍ୟ କହିଥିଲେ ଯେ, ସେ ପ୍ରଶାସନିକ ଅଧିକାରୀ ଭାବରେ ରାଜନୀତିକୁ ଏତେ ନିକଟରୁ ଦେଖିଛନ୍ତି ଆଉ ରାଜନୀତିର କଳଙ୍କିତ ଦିଗ ଗୁଡିକୁ ଏତେ ପାଖରୁ ଦେଖିଛନ୍ତି ଯେଉଁଥିପାଇଁ ସେ କେବେବି ତାଙ୍କ ଜୀବନରେ ରାଜନୀତି କରିବେ ନାହିଁ।

କିନ୍ତୁ ଅବସର ନେବାର ପାଖାପାଖି ୧୦ ବର୍ଷ ପରେ, ପରିଣତ ବୟସରେ ହଠାତ ବିଜୟ ପଟ୍ଟନାୟକ ନିଷ୍ପତ୍ତି ନେଲେ କି ସେ ରାଜନୀତି କରିବେ। ଆଉ ଯେଉଁ କାରଣ ଟି ବତାଇଲେ ତାହା ହେଉଛି ଯେ, ଓଡ଼ିଶାର ସ୍ଥିତି ଏବେ ସଂଗୀନ । ପ୍ରତ୍ୟକ କ୍ଷେତ୍ରରେ ଓଡିଶା ଅବହେଳିତ। ପ୍ରତ୍ୟକ କ୍ଷେତ୍ରରେ ଓଡିଶା ତଳକୁ ତଳକୁ ଯାଉଛି ତେଣୁ ସେ ଭାବିଲେ ଓଡିଶାକୁ ପରିବର୍ତ୍ତନ କରିବାକୁ ହେଲେ ରାଜନୀତି ଏକମାତ୍ର ମାଧ୍ୟମ ତେଣୁ ସେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କଲେ ବୋଲି କହିଲେ।

ତେବେ ଏହା କେବଳ ବିଜୟ ପଟ୍ଟନାୟ କିମ୍ବା କଂଗ୍ରେସର କଥା ନୁହଁ, ଏହା ଓଡ଼ିଶାରେ ଯେଉଁ ତିନୋଟି ପ୍ରମୁଖ ରାଜନୈତିକ ଦଳ ଏବେ ରାଜନୀତି କରୁଛନ୍ତି ସମସ୍ତଙ୍କର ଏହି ସମାନ ଅବସ୍ଥା । ଇଏ ସେହି କଂଗ୍ରେସ ଦଳ, ଯାହାକୁ ଯେବେଠାରୁ ନବୀନ ବାବୁ ଆସିଛନ୍ତି କ୍ଷମତାରୁ ବାହାରକୁ ଠେଲି ଦେଇଛନ୍ତି ଆଉ ପ୍ରତ୍ୟକ ନିର୍ବାଚନରେ ଆହୁରି ଦୁରକୁ ଦୁରକୁ ଠେଲି ଦେଉଛନ୍ତି। ଏଇ କଂଗ୍ରେସ ଦଳର ଏକମାତ୍ର ଅଭିଯୋଗ ହୋଇ ଆସୁଛି ଯେ, ନବୀନ ବାବୁଙ୍କ ଶାସନରେ ଅଫିସର ମାନେ ରାଜ କରୁଛନ୍ତି । ଓଡ଼ିଶାରେ ରାଜନୈତିକ ନେତୃତ୍ୱ ଏକଦମ ନଷ୍ଟ ହୋଇଯାଇଛି । ଆଉ ଓଡ଼ିଶାରେ ଏହି ଯାବତୀୟ ଅସୁବିଧା ପାଇଁ କଂଗ୍ରେସ ଦଳ ନବୀନ ବାବୁଙ୍କୁ ଯେତେ ଦାୟୀ କରିନାହିଁ ତାଠାରୁ ଅଧିକ ଦାୟୀ କରିଛି ବିଭିନ୍ନ ସମୟରେ ନବୀନ ବାବୁ ଯେଉଁ ବ୍ୟୁରୋକ୍ରାଟ ମାନଙ୍କୁ ସାମ୍ନାରେ ରଖିକି ଗୋଟି ଚଳାଇ ଆସିଛନ୍ତି ।

ପ୍ୟାରୀମୋହନ ମହାପାତ୍ର ମଧ୍ୟ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଥିଲେ। ତାଙ୍କର ଅବସର ପରେ ନବୀନ ବାବୁ ତାଙ୍କୁ ଆଣିଲେ ଆଉ ସେ ପାଖାପାଖି ଏକ ଦଶନ୍ଧିରୁ ଅଧିକ ସମୟ ଧରି ବିଜୁ ଜନତା ଦଳର ସର୍ବେସର୍ବା ହୋଇକି ଥିଲେ । ରାଜ୍ୟର ଦ୍ଵିତୀୟ କ୍ଷମତା କେନ୍ଦ୍ର ବୋଲି ତାଙ୍କୁ କୁହାଯାଉଥିଲା। ଇଏ କେବଳ ପଛପଟୁ ଗୋଟି ଚଳାଇଲେ ନାହିଁ, ସିଧାସଳଖ ରାଜନୀତିରେ ଯୋଗଦେଲେ ଆଉ ବିଜୁ ଜନତା ଦଳର ସାଂସଦ ମଧ୍ୟ ହେଲେ। ପ୍ୟାରୀ ବାବୁଙ୍କ ପରେ ଆହୁରି ଅନେକ ବ୍ୟୁରୋକ୍ରାଟମାନେ ମଧ୍ୟ ବିଜୁ ଜନତା ଦଳର ଆଗରେ ଆଉ ପଛରେ ରହିଛନ୍ତି । ଚାକିରୀରେ ଥାଇ ମଧ୍ୟ ବହୁ ବ୍ୟୁରୋକ୍ରାଟଙ୍କ ନାଁ ଉଠୁଛି। ଆଉ ସମସ୍ତେ ଜାଣନ୍ତି ନବୀନ ବାବୁ ଶାସନ ଚଲାଉ ନାହାନ୍ତି, ନବୀନ ବାବୁ ବାଛିଥିବା ହାତ ଗଣତି ବ୍ୟୁରୋକ୍ରାଟ ହିଁ ସମ୍ପୂର୍ଣ ଶାସନ ଚଳାଉଛନ୍ତି। ଏପରିକି ତାଙ୍କରି ସମୟରେ ଯେଉଁ କିଛି ବ୍ୟୁରୋକ୍ରାଟ ଅବସର ନେଲେ ତାଙ୍କୁ ଆଣି ରାଜନୀତିରେ ପୁରାଇଲେ । ନଳିନୀକାନ୍ତ ପ୍ରଧାନ ପୂର୍ତ୍ତ ବିଭାଗର ସଚିବ ଥିଲେ। ଯେମିତି ଚାକିରୀ ସରିଲା ଇଏ ବିଜୁ ଜନତା ଦଳ ଟିକେଟରେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଲେ। ଗୋପବନ୍ଧୁ ଦାସ, ଇଏ ଚାକିରୀ ଛାଡିଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଭାବରେ ଯୋଗଦେଲେ। ପୁଣି ୨୦୧୯ରେ ନବୀନ ବାବୁ ନିର୍ବାଚନ ଜିତିବା ପରେ ଇଏ ପରାମର୍ଶଦାତା OSD ଭାବରେ ଚାକିରୀରେ ଯୋଗଦେଲେ। ଆଉ ଏବେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ରାଜନୈତିକ ପରାମର୍ଶଦାତା ଅଛନ୍ତି । ଯେଉଁମାନେ ଭିତରେ ଅଛନ୍ତି ଆମେ ସେମାନଙ୍କ କଥା କହୁନାହୁଁ। ଅନେକ ବୈଧାନିକ ସଂସ୍ଥାରେ ସବୁବେଳେ ବ୍ୟୁରୋକ୍ରାଟ ମାନଙ୍କୁ ରଖାଯାଉଛି।

ଯେଉଁ କଂଗ୍ରେସ ଅଫିସରମାନଙ୍କୁ ବା ବାବୁମାନଙ୍କୁ ଦାୟୀ କରୁଥିଲା, ଏବେ ସେହି କଂଗ୍ରେସ ବିଜୟ ପଟ୍ଟନାୟକଙ୍କୁ କୋଳାଇ ନେଲା। ତାଙ୍କୁ ନେଇ ଏବେ ଜୟ ଜୟକାର କରୁଛି । ଆଉ ସେହି କଂଗ୍ରେସ ଏବେ ବିଜୟ ପଟ୍ଟନାୟକଙ୍କୁ ସେନାପତି ଭାବରେ ରଖି ନବୀନ ବାବୁଙ୍କ ସହ ଲଢ଼ିବାକୁ ଯୋଜନା କରୁଛି । ବିଜୟ ପଟ୍ଟନାୟକ ପାଖାପାଖି ୨୦୧୦-୧୩ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଥିଲେ। ତା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ ଆଉ ତା ପୂର୍ବରୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଥିଲେ । ବିଜୟ ପଟ୍ଟନାୟକଙ୍କ ସମ୍ପୂର୍ଣ କ୍ୟାରିୟରକୁ ଅନୁଶୀଳନ କଲେ ଦେଖାଯିବ ଯେ, ସେ ସବୁବେଳେ ବିବାଦରେ ରହିଛନ୍ତି । ନବୀନ ପଟ୍ଟନାୟକ ସରକାରରେ ବହୁ କେଳେଙ୍କାରୀ, ବହୁ ବେନିୟମ ଫାଇଲରେ ବିଜୟ ପଟ୍ଟନାୟକଙ୍କ ଦସ୍ତଖତ ରହିଛି । ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଜମି ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ଦେବା ପଛରେ ଯେଉଁ ପେଞ୍ଚ ଗୁଡିକ କରାଯାଉଥିଲା ସେଥିପାଇଁ ସେ ସମୟରେ ବିଜୟ ପଟ୍ଟନାୟକଙ୍କୁ ଦାୟୀ କରାଯାଇଥିଲା। ବିଜୟ ପଟ୍ଟନାୟକ ସେତେବେଳେ ପ୍ରମୁଖ ସଚିବ ଥିଲେ। ଆଉ ବିଜୟ ପଟ୍ଟନାୟକଙ୍କୁ ସେତେବେଳେ ନବୀନ ବାବୁ ବେଦାନ୍ତ ବିଶ୍ୱବିଦ୍ୟାଳୟର ଜମି ନେଣଦେଣ ପାଇଁ ନୋଡାଲ ଅଫିସର ଭାବରେ ନିଯୁକ୍ତ କରିଥିଲେ । ଆଉ ସେ ହିଁ ସବୁ ପେଞ୍ଚ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଆଉ ସେତେବେଳେ ନବୀନ ପଟ୍ଟନାୟକଙ୍କୁ ବଡ କଳା ପାହାଡ କୁହାଯାଉଥିବା ବେଳେ ବିଜୟ ପଟ୍ଟନାୟକଙ୍କୁ ଛୋଟ କଳା ପାହାଡ କୁହାଯାଉଥିଲା। କାରଣ ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମିକୁ ଲୁଟ ପାଇଁ ଯେଉଁ ଚେଷ୍ଟା କରାଯାଉଥିଲା ଏଥିରେ ନବୀନ ବାବୁଙ୍କ ସେନାପତି ଭାବରେ ପ୍ରମୁଖ ଭୂମିକା ନେଇଥିଲେ ବିଜୟ ପଟ୍ଟନାୟକ।

ଏଇ କଂଗ୍ରେସ ସେତେବେଳେ ଆଗରେ ରହି ଲଢ଼ିଥିଲା। କଂଗ୍ରେସର ନେତା ଉମାବଲ୍ଲଭ ରଥ ଯିଏ ପୁରୀରୁ ବିଧାୟକ ପ୍ରାର୍ଥୀ ଭାବରେ ଲଢୁଥିଲେ ସେ ଏହା ବିରୁଦ୍ଧରେ ଜଣ ଜାଗରଣ କରିଥିଲେ, ସାରା ଓଡିଶା ବୁଲିଥିଲେ, ହାଇକୋର୍ଟ ଯାଇଥିଲେ, ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ। ଆଇନ ଅଦାଲତଠାରୁ ସବୁ ଯାଗାରେ କଂଗ୍ରେସ ଲଢ଼ିଥିଲା। ଆଉ ସେତେବେଳେ ଏ ସବୁ ବିରୋଧରେ ଯିଏ ବୁଦ୍ଧି ଦେଉଥିଲେ ସେ ହେଉଛନ୍ତି ବିଜୟ ପଟ୍ଟନାୟକ। କିନ୍ତୁ ସେହି ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ଏବେ କୋଳାଇ ନେଇଛି। ତେବେ ବାବୁମାନଙ୍କ ପ୍ରତି ରାଜନୈତିକ ଦଳ ଆଉ ନେତାମାନଙ୍କର ଯେଉଁ ଅଭୁତପୂର୍ବ ଆକର୍ଷଣ ଏହା ଏକ ବିଚିତ୍ର।

ଭାରତୀୟ ଜନତା ପାର୍ଟିରେ ମଧ୍ୟ ସମାନ ଅବସ୍ଥା। ଅପରାଜିତା ଷଡ଼ଙ୍ଗୀ ଯେତେବେଳେ ବ୍ୟୁରୋକ୍ରାଟ ଥିଲେ, ସେତେବେଳ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ ସଂସ୍ଥା ଷ୍ଟେଟ ଇନଷ୍ଟିଟ୍ୟୁଟ ଅଫ ଏଜୁକେସନ ଆଣ୍ଡ ଟ୍ରେନିଂ (SIET) ଯାହାର କାମ ଥିଲା ଇ-ଟ୍ରେନିଂ ପାଇଁ ବିଭିନ୍ନ ଅଡିଓ ଭିଜୁଆଲ ଟ୍ରେନିଂ ମ୍ୟାଟେରିଆଲ ପ୍ରସ୍ତୁତ କରିବେ। ଏ ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ଅନୁଦାନରେ ତିଆରି କରାଯାଇଥିଲା । ଏଥିରେ ବହୁ ସରକାରୀ କର୍ମଚାରୀ ଟେକନିସିଆନ, କ୍ୟାମେରାମ୍ୟାନ ବହୁ ଲୋକ ଥିଲେ । ଏହାକୁ ହଠାତ ରାଜ୍ୟ ସରକାର ପେଞ୍ଚ କଲେ ଆଉ ବନ୍ଦ କରିଦେଲେ । ବହୁ କର୍ମଚାରୀଙ୍କ ଚାକିରୀ ପଳାଇଲା। ଆଉ ସେ ସମୟରେ ଯାହା କେଳେଙ୍କାରୀ ହୋଇଥିଲା, ସେତେବେଳେ ଅପରାଜିତା ଷଡଙ୍ଗୀଙ୍କୁ ଦାୟୀ କରାଯାଇଥିଲା । ଅପରାଜିତା ବିଭାଗର ସଚିବ ଥିଲେ। ଆଉ ସେ ସମୟରେ ବିଜେପି ଏହାକୁ କଡା ସମାଲୋଚନା କରିଥିଲା। ଏହା ବିରୋଧରେ ବିଜେପି ସ୍ୱର ଉଠାଇଥିଲା ଆଉ ଅପରାଜିତା ସଡଙ୍ଗୀଙ୍କୁ ଟାର୍ଗେଟ କରିଥିଲା । ପରବର୍ତୀ ସମୟରେ ସେହି ଅପରାଜିତା ଷଡଙ୍ଗୀଙ୍କୁ ବିଜେପି କୋଳେଇ ନେଲା ଆଉ ଏବେ ତାଙ୍କୁ ଆଗଧାଡିର ନେତ୍ରୀ କରିଛି । ଏପରିକି ଓଡ଼ିଶାରେ ବିଜେଡି ବିରୋଧୀ ଲଢେଇରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଅପରାଜିତାଙ୍କୁ ସେନାପତି ଭାବରେ ସାମ୍ନାରେ ରଖାଯାଉଛି ।

କେବଳ ଅପରାଜିତା ନୁହନ୍ତି ଅଶ୍ବିନୀ ବୈଷ୍ଣବ ମଧ୍ୟ ସମାନ ଚାକିରୀ ଛାଡିଲେ ଆଉ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ । ଆଉ ବିରୋଧୀ ଦଳର ପ୍ରାର୍ଥୀ ହେବା ସତ୍ୱେ ବିଜୁ ଜନତା ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଲା। ଏହା ବ୍ୟତିକ୍ରମ କହିଲେ ଅତ୍ୟୁକ୍ତି ହେବନାହିଁ । ଏକ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ଶାସକ ଦଳ ରାଜ୍ୟସଭାକୁ ପଠାଇବା ଆଉ ବିରୋଧୀ ଦଳ ଶାସକ ଦଳର ଅନୁକମ୍ପାକୁ ଗ୍ରହଣ କରିବା, ଏହା କେତେଦୂର ଠିକ ବୋଲି ପ୍ରଶ୍ନ ଉଠିଲା। ପ୍ରକାଶ ମିଶ୍ର ଯେତେବେଳେ ଡିଜି ଥିଲେ ସେତେବେଳେ ଅନେକ କଥାକୁ ନେଇକି ବିଜେପି ମଧ୍ୟ ତାଙ୍କୁ ବିରୋଧ କରିଥିଲା। ପରେ ପ୍ରକାଶ ମିଶ୍ର ବିଜେପିରେ ମିଶିଲେ ଆଉ ଦଳ ତାଙ୍କୁ କଟକରୁ ସାଂସଦ ପ୍ରାର୍ଥୀ କଲା ।

ଆଉ ବହୁ ଏଭଳି ବ୍ୟୁରୋକ୍ରାଟ ଅଛନ୍ତି ଯେଉଁମାନେ ରାଜନୈତିକ ଦଳରେ ମିଶୁଛନ୍ତି ଆଉ ରାଜନୀତି ମଧ୍ୟ କରୁଛନ୍ତି। ତେବେ ଓଡ଼ିଶାରେ ରାଜନୈତିକ ଦଳ ଆଉ ନେତାଙ୍କର ବ୍ୟୁରୋକ୍ରାଟମାନଙ୍କ ପ୍ରତି ଯେତିକି ମୋହ ରହିଛି ବ୍ୟୁରୋକ୍ରାଟମାନଙ୍କ ମଧ୍ୟରେ ମଧ୍ୟ ଏବେ ସିଧାସଳଖ ରାଜନୀତି କରିବା ପାଇଁ ସେତିକି ଅଧିକ ଆଗ୍ରହ ଦେଖାଯାଉଛି । ଆଲୋଚନା ହେଉଛି କି ୨୦୨୪ ନିର୍ବାଚନରେ ବହୁ ବ୍ୟୁରୋକ୍ରାଟ ପ୍ରାର୍ଥୀ ହେବେ। କିଛି ଚାକିରୀ ଛାଡି ପ୍ରାର୍ଥୀ ହେବେ ଆଉ କିଛି ଅବସର ନେଇଥିବା ବାବୁ ମଧ୍ୟ ପ୍ରାର୍ଥୀ ହେବେ।