ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଗକୁ ଆସିବ ବ୍ୟାପକ ପରିବର୍ତ୍ତନ। ରାଜ୍ୟ ସରକାର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସାସେବା ଯୋଗାଇବା ପାଇଁ ‘ଆମ ହସ୍ପିଟାଲ’ ଯୋଜନା ଅଧୀନରେ ରାଜ୍ୟର ୧୪୭ ଟି ହସ୍ପିଟାଲକୁ ରୂପାନ୍ତରିକରଣ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଆମ ହସ୍ପିଟାଲ ଯୋଜନା ଅଧିନରେ ୧୪୭ଟି ହସ୍ପିଟାଲର 5T ରୂପାନ୍ତରଣ କରାଯିବ। ଏଥି ପାଇଁ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ଏହା ଦ୍ବାରା ହସ୍ପିଟାଲର ରୂପରେଖ ପରିବର୍ତ୍ତନ କରାଯିବ। ହସ୍ପିଟାଲରେ ନୂଆ କୋଠା ସହ ବିଭିନ୍ନ ଉନ୍ନତମାନର ମେଡିକାଲ ଉପକରଣ ମଧ୍ୟ ଯୋଗାଇ ଦିଆଯିବ। ଆବଶ୍ୟକ ପରିମାଣର ଡାକ୍ତର ଯୋଗାଇବା ସହ ଲୋକମାନଙ୍କ ପାଇଁ ହାତ ପାହାନ୍ତାରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଦିଆଯିବ।

ଅନ୍ୟପଟେ ବିଗତ କିଛି ବର୍ଷରେ ରାଜ୍ୟରେ ୭ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ ୪ଟି ପାଇଁ ପଦକ୍ଷେପ ନିଆଯାଉଛି । କଳାହାଣ୍ଡି , ତାଳଚେର, ଯାଜପୁର , କନ୍ଧମାଳ ମେଡିକାଲ କଲେଜ ଖୋଲିବ। ସେହିପରି ଅନୁଗୁଳ , ବଡ଼ବିଲ, ଝାରସୁଗୁଡା ଏବଂ ଭଦ୍ରକରେ ମେଡିକାଲ କଲେଜ ବଦଳରେ ପିପିପି ମୋଡ଼ରେ ସ୍ପେସାଲିଷ୍ଟ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କାର୍ୟ୍ୟ ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଅନ୍ୟପଟେ ଚଳିତ ବର୍ଷ ବାଗଚୀ କ୍ୟାନସ୍‌ର ସେଣ୍ଟର ଓ ଟାଟା ମେମୋରିଆଲ୍‌ କ୍ୟାନସ୍‌ର ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ। ସେହିପରି ଝାରସୁଗୁଡା ଠାରେ ସ୍ଵତନ୍ତ୍ର କ୍ୟାନ୍ସର ଓ ହୃଦ ରୋଗ ହସ୍ପିଟାଲ ପିପିପି ମୋଡ଼ରେ ଆରମ୍ଭ କରାଯିବ । ରାଜ୍ୟରେ ଖାଲି ପଡିଥିବା ଡାକ୍ତରୀ ପଦବୀକୁ ପୂରଣ କରାଯିବ । ୩ ହଜାର ଡାକ୍ତର ପଦବୀ ପାଇଁ ଓପିଏସସି ଅଧୀନରେ ଚୟନ କରାଯାଇଛି । ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ପତ୍ର ଦିଆଯିବ । ଏହା ପରେ ଆଉ ୫ ହଜାର ପଦବୀ ପାଇଁ ଓପିଏସସି ଅଧୀନରେ ଚୟନ କରାଯାଇ ନିଯୁକ୍ତି ଦିଆଯିବାକୁ ଯୋଜନା କରାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ।

ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ସମ୍ପ୍ରସାରଣ କରାଯାଉଛି। ରାଜ୍ୟ ବାହାରେ ୫୦୦ ହସ୍ପିଟାଲକୁ ବିଏସକେୱାଇରେ ସାମିଲ କରାଯାଇଛି । ଏବଂ ପ୍ରତ୍ୟେକ ଦିନ ନୂଆ ନୂଆ ହସ୍ପିଟାଲକୁ ସାମିଲ କରିବାକୁ କାର୍ଯ୍ୟ ଜାରି ରହିଛି । ବିଏସକେୱାଇରେ ଏବେ ଯାଏ ରାଜ୍ୟରେ ୯୬.୫ ଲକ୍ଷ ପରିବାରରୁ ୯୭ ପ୍ରତିଶତ ଲୋକେ ଉପକୃତ ହେଉଛନ୍ତି ।ଏହାକୁ ଶତ ପ୍ରତିଶତରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଟକ ଏସସିବିକୁ ଏମ୍ସ ପ୍ଲସ୍‌ କରାଯାଉଛି। ଯାହାର କାମ ୨୦୨୪ ଜାନୁଆରୀ ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଲକ୍ଷ୍ୟ ରହିଛି ବୋଲି ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ କହିଛନ୍ତି।