ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକର ସାମୁଲୁ ପାଙ୍ଗୀ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହିବା ଘଟଣାରେ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେନେଇ ରିପୋର୍ଟ ଦାଖଲ କରିବାକୁ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ମାନବାଧିକାର କମିଶନ ଏହି ମାମଲାରେ ୪ ସପ୍ତାହ ମଧ୍ୟରେ ରାଜ୍ୟ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେନେଇ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବରିଷ୍ଠ ଆଇନଜୀବି ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏହି ମାମଲାରେ ଏନଏଚଆରସିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହା ମାନବାଧିକାରର ସ୍ପଷ୍ଟ ଉଲ୍ଲଘଂନ ବୋଲି ଯୁକ୍ତି ବାଢ଼ିଥିଲେ । କମିଶନ ତାଙ୍କର ଆବେଦନକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ରାଧାକାନ୍ତ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ନିଜ ଜନ୍ମସ୍ଥାନ ଥିବା ଅଞ୍ଚଳରେ ମେଡ଼ିକାଲ ସୁବିଧା ନପାଇବା ଓ ଆନ୍ଧ୍ରପ୍ରଦେଶର ହସ୍ପିଟାଲର ଅବହେଳାପୂର୍ଣ୍ଣ ଆଚରଣ, ପୁଲିସ ଭାଷା ନବୁଝିପାରିବା ଯୋଗୁ ଗରିବ ସାମଲୁଙ୍କୁ କଷ୍ଟ ସହିବାକୁ ପଡ଼ିଛି। ସାମଲୁଙ୍କ ଅସୁବିଧାରେ ତାଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାରେ ସରକାର ବିଫଳ ହୋଇଛନ୍ତି । ନିଜର ଗୁଜୁରାଣ ମେଂଟାଇବା ପାଇଁ ସାମଲୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ଶ୍ରମ ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ସାମଲୁଙ୍କୁ ହଇରାଣ ହେବାକୁ ପଡ଼ିଛି ବୋଲି ସେ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ ଯେ, ପଟାଙ୍ଗୀ ବ୍ଲକର ୩୫ବର୍ଷୀୟ ଯୁବକ ସାମଲୁ ପାଙ୍ଗୀ ତାଙ୍କ ଅସୁସ୍ଥ ପତ୍ନୀ ଇଦେ ଗୁରୁଙ୍କୁ ପଡ଼ୋଶୀ ବିଶାଖାପାଟଣାର ସାଙ୍ଗିଭାଲସାସ୍ଥିତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଇଦେଙ୍କ ବଂଚିବା ସମ୍ଭାବନା କ୍ଷୀଣ ଥିବା ଦର୍ଶାଇ ଡାକ୍ତରମାନେ ତାଙ୍କୁ ଘରକୁ ଫେରାଇ ଦେଇଥିଲେ। ଏହାପରେ ସାମୁଲୁ ଏକ ଅଟୋ ରିକ୍ସା ଭଡ଼ା କରି ପତ୍ନୀଙ୍କୁ ଘରକୁ ଆଣୁଥିବାବେଳେ ବାଟରେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା ଓ ସମ୍ପୃକ୍ତ ଡ୍ରାଇଭର ତାଙ୍କୁ ବାଟରେ ଛାଡ଼ି ପଳାଇଥିଲା । କିଛି ଉପାୟ ନପାଇ ସେ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ଘରକୁ ଆଣୁଥିଲେ ବୋଲି ଶ୍ରୀ ତ୍ରିପାଠୀ ଆବେଦନରେ ଦର୍ଶାଇଛନ୍ତି ।
