ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ପରେ ଏବେ ତାଙ୍କ ପୁଅ ଅବଦୁଲ୍ଲା ଆଜାମଙ୍କର ମଧ୍ୟ ବିଧାନସଭା ସଦସ୍ୟତା ରଦ୍ଧ ହୋଇଛି । ୟୁପି ବିଧାନସଭା ସଚିବାଳୟ ଅବଦୁଲ୍ଲା ଆଜାମଙ୍କ ଆସନକୁ ଖାଲି ଘୋଷଣା କରିଛି । ସୋମବାର ମୁରାଦାବାଦର ଏକ ସ୍ୱତନ୍ତ୍ର କୋର୍ଟ ୧୫ ବର୍ଷ ପୁରୁଣା ଏକ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜାମ ଖାନ ଏବଂ ତାଙ୍କ ବିଧାୟକ ପୁଅ ଅବଦୁଲ୍ଲା ଆଜାମଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇଛନ୍ତି ।
ସୂଚନା ଅନୁସାରେ, ଅବଦୁଲ୍ଲା ଆଜାମ ୟୁପିର ରାମପୁରର ସୁଆର ଆସନରୁ ବିଧାୟକ ରହିଥିଲେ । ତେବେ ଜନ ପ୍ରତିନିଧି ଅଧିନିୟମ ଅନୁସାରେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡିତ ହୋଇଥିବା ବିଧାୟକ କିମ୍ବା ସାଂସଦଙ୍କୁ ଦଣ୍ଡ ମିଳିଥିବା ତାରିଖରୁ ଅଯୋଗ୍ୟ ଘୋଷିତ କରାଯିବ ଏବଂ ଜେଲରେ ରହିବା ପରେ ମଧ୍ୟ ଏହି ଅଯୋଗ୍ୟତା ୬ ବର୍ଷ ପର୍ଯ୍ୟନ୍ତ ଜାରି ରହିବ। ତେବେ ପୂର୍ବରୁ ଆଜମ୍ ଖାନ୍ ଅକ୍ଟୋବର ୨୦୨୨ରେ ବିଧାୟକ ଭାବେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏବେ ବାପ-ପୁଅ ସମାନ ଶ୍ରେଣୀରେ ରହିଛନ୍ତି ।
ବିଜେପି ବିଧାୟକ ଆକାଶ ସକ୍ସେନା ମୁଖ୍ୟ ଶାସନ ସଚିବ ବିଧାନସଭାକୁ ଏକ ଚିଠି ଲେଖି ସୁଆର ଆସନ ଖାଲି କରିବାକୁ ଦାବି କରିଥିଲେ । ଏନେଇ ସେ ଏବେ କହିଛନ୍ତି ଯେ, ଦେଶରେ ଏହା ପ୍ରଥମ ଘଟଣା ହେବାକୁ ଯାଉଛି, ଯେଉଁଠି ଲଗାତାର ୨ ବିଧାୟକଙ୍କ ଠାରୁ ବିଧାନସଭା ଆସନ ଛଡ଼ାଇ ନିଆଯାଇଛି ।





