ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିଜେପିର ବିକ୍ଷୋଭ ବେଳେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ଓ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନ ମଧ୍ୟରେ ଧସ୍ତାଧସ୍ତି ଘଟଣାରେ ଉଭୟ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି ।ଜୟନାରାୟଣ ମିଶ୍ରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆଣି ବୁଧବାର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ସମ୍ବଲପୁର ଟାଉନ ଥାନାରେ ଆଇଆଇସିଙ୍କ ନାଁରେ ଲିଖିତ ଏତଲା ଦେଇଛନ୍ତିl

ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନିଆଯାଇ ଶାନ୍ତିପୂର୍ଣ୍ଣ ଭାବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ଏହି ସମୟରେ ବିଜେପିର ମହିଳା କାର୍ଯ୍ୟକର୍ତ୍ତାମାନଙ୍କୁ ପୁରୁଷ ପୋଲିସ କର୍ମଚାରୀମାନେ ଅଟକାଇ ଦୁର୍ବ୍ୟବହାର କରିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ବିରୋଧି ଦଳର ନେତା ତଥା ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର ଆଗକୁ ଆସି ଏହାର ପ୍ରତିବାଦ କରୁଥିବା ବେଳେ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନ ତାଙ୍କ ପାଦ ଉପରେ ଚଢି ଯାଇଥିଲେ ଓ ତାଙ୍କୁ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଥିଲେ ।

ଅନ୍ୟପଟେ ଧନୁପାଲି ଆଇଆଇସି ଅନୀତା ପ୍ରଧାନ ମଧ୍ୟ ମାଡ ମାରିବା ଅଭିଯୋଗରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଟାଉନ ଥାନାରେ ଏତଲା ଦାୟର କରିଛନ୍ତି । ତାଙ୍କୁ ଜୟ ନାରାୟଣ ମିଶ୍ର ଠେଲାପେଲା କରି ଧକ୍କା ଦେଇଥିଲେ ଏବଂ ଚାପୁଡ଼ା ମାରିଥିବାର ସେ ଅଭିଯୋଗ କରିଛନ୍ତି । ଏନେଇ ଜୟ ନାରାୟଣ ମିଶ୍ରଙ୍କ ନାଁରେ ୩୫୩, ୩୩୨, ୩୫୪, ୨୯୪, ୫୦୦, ୩୪୧ ଓ ୫୦୬ ଭଳି ସଂଗୀନ ଦଫା ଲାଗିଥିବା ସୂଚନା ମିଳିଛି ।

ଏହି ଆକ୍ରମଣ ଘଟଣାରେ ଓଡି଼ଶା ପୋଲିସ ସେବା ସଂଘ ସମ୍ବଲପୁର ଶାଖା ଓ ଓଡି଼ଶା ପୋଲିସ ହାବିଲଦାର କନଷ୍ଟେବଳ ସଂଘ ସମ୍ବଲପୁର ଶାଖା ପକ୍ଷରୁ ମଧ୍ୟ ସମ୍ବଲପୁର ଆରଡିସିଙ୍କ ସେକ୍ରେଟାରୀଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ଧମକ ଚମକ ଦେବା ଓ ଦୁର୍ବ୍ୟବହାର କରିଥିବା ନେଇ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ତୁରନ୍ତ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ବୁଧବାର ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ବିକ୍ଷୋଭ ବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ଧନୁପାଲି ଥାନା ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ବିଜେପି ନେତା ଆଇଆଇସିଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଥିବାବେଳେ ଆଇଆଇସି ଜୟନାରାୟଣଙ୍କୁ ଧକ୍କା ମାରିଥିବା ସେ ଅଭିଯୋଗ କରିଥିଲେ । ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।