ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): ଗୁଗଲ ଇଣ୍ଡିଆ ତାର ବିଭିନ୍ନ ବିଭାଗରୁ ୪୫୩ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛି। କର୍ମଚାରୀଙ୍କୁ ଛଟେଇ ସୂଚନା ଡାକ ମାଧ୍ୟରେ ପଠାଇ ଦେଇଛି ଗୁଗଲ ଇଣ୍ଡିଆ। ଏହି କାର୍ଯ୍ୟାନୁଷ୍ଠାନ ଗୁରୁବାର ବିଳମ୍ବିତ ରାତ୍ରିରେ ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ଗୁଗଲ ଇଣ୍ଡିଆଙ୍କ କଣ୍ଟ୍ରିହେଡ ତଥା ଭାଇସ୍ ପ୍ରେସିଡେଣ୍ଟ ସଞ୍ଜୟ ଗୁପ୍ତା ମେଲ୍ ମାଧ୍ୟମରେ ପୁଷ୍ଟି କରିଛନ୍ତି। ତେବେ ଗତ ମାସରେ ଗୁଗଲର ମୂଳ କମ୍ପାନୀ ଆଲଫାବେଟ୍ ଇଂକ୍ ବୈଶ୍ୱିକ ସ୍ତରରେ ତାର ମୋଟ କର୍ମଚାରୀ ସଂଖ୍ୟାର ୬ ପ୍ରତିଶତ ହ୍ରାସ କରିବେ ବୋଲି ଘୋଷଣା କରିଥିଲା।
ଆଲଫାବେଟ୍ଙ୍କ ଏହି ଘୋଷଣା ଅନୁସାରେ ସାରା ବିଶ୍ୱରେ ଗୁଗଲଙ୍କ ୧୨ ହଜାର କର୍ମଚାରୀ ଛଟେଇ ହେବେ। ତେବେ ଗୁରୁବାର ବିଳମ୍ବିତ ରାତ୍ରିରେ ଛଟେଇ ହୋଇଥିବା କର୍ମଚାରୀମାନେ ଗୁଗଲର ୬ ପ୍ରତିଶତ ସୂଚୀରେ କି ଛଟେଇର ନୂଆ ଅଧ୍ୟାୟ ଆରମ୍ଭ ହୋଇଛ ତାହା ସ୍ପଷ୍ଟ ହୋଇ ନାହିଁ। ତେଣୁ ଏହି ଛଟେଇ ନିଷ୍ପତ୍ତିରେ ସାରା ବିଶ୍ୱରେ କେତେ କର୍ମଚାରୀ ପ୍ରଭାବିତ ହୋଇଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ରିପୋର୍ଟ ଅନୁସାରେ ମେଲ୍ରେ ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇଙ୍କ କିଛି ଇନପୁଟ୍ ମଧ୍ୟ ସାମିଲ କରାଯାଇଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ ଯେ, ବିଭିନ୍ନ ଅନ୍ତରାଷ୍ଟ୍ରୀୟ କମ୍ପାନୀମାନେ ଆର୍ଥିକ ମାନ୍ଦାବସ୍ଥା ବାହାନାରେ କର୍ମଚାରୀ ଛଟେଇ ଚଳାଇଛନ୍ତି। ଏଣୁ କର୍ମଚାରୀ ଛଟେଇ କରିଥିବା ଗୁଗଲ ଏକମାତ୍ର ଟେକ୍ କମ୍ପାନୀ ନୁହେଁ। ଆମଜାନ ମଧ୍ୟ ତାଙ୍କ ୱାର୍କଫୋର୍ସରୁ ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ପୂର୍ବ ଅନୁମାନ ୧୦ ହଜାର କର୍ମଚାରୀଠାରୁ ଢେର ଅଧିକ। ସେହିପରି ଫେସବୁକ୍ ଅର୍ଥାତ ମେଟା ଏପର୍ଯ୍ୟନ୍ତ ୧୩ ହଜାର କର୍ମଚାରୀଙ୍କୁ ଛଟେଇ କରିସାରିଲେଣି।





