ଭୁବନେଶ୍ୱର,୧୮/୨(ସତ୍ୟପାଠ ବ୍ୟୁରୋ): ମୁଁ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଥିବାରୁ ମୋ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ ଆହୁରି କହିଛନ୍ତି ଯେ, ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡର ଏକ୍ସପୋଜ ହେବ । ଘଟଣା ପଛରେ ଅନେକ ରହସ୍ୟ ରହିଛି । ମୁଦାଲାକୁ ଖଲାସ କରିଦେବା ପାଇଁ ପୋଲିସ ଚେଷ୍ଟା କରୁଛି । ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ମୋ ବିରୁଦ୍ଧରେ ଏଇ ପ୍ରକାର ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି। ମୋତେ ମ୍ୟାନେଜ ନ କରି ପାରିବାରୁ ମୋ ବିରୁଦ୍ଧରେ ଏହି ଷଡ଼ଯନ୍ତ୍ର କରାଯାଇଛି । ମୁଁ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଥିବାରୁ ସେମାନେ ଭୟଭୀତ ହୋଇ ଯାଇଛନ୍ତି । ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ ଅଛି ବୋଲି ଜୟ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାନସଭାରେ ବି ଯଦି ମୋ ବିଷୟ ସେମାନେ ଉଠେଇବେ ମୁଁ ଆଲୋଚନା ପାଇଁ ପ୍ରସ୍ତୁତ । ତେବେ ତାଙ୍କ ବାସଭବନ ଆଗରେ ବିକ୍ଷୋଭକୁ ନେଇ ସେ କହିଛନ୍ତି ଯେ, ଗତକାଲି କିନ୍ନରମାନେ ଆସିଥିଲେ ବିକ୍ଷୋଭ କରିବା ପାଇଁ ମିଠା ଖାଇ ମୋତେ ଆଶୀର୍ବାଦ କରି ଯାଇଛନ୍ତି । ସେହିପରି ଆଜି ଯେଉଁ ବିକ୍ଷୋଭ ହେଇଛି ସେମାନେ ଗତକାଲି ମୋ ଘରକୁ ଆସି କହିଥିଲେ ଯେ ଆମକୁ ଉପରୁ ନିର୍ଦ୍ଦେଶ ଅଛି ବିକ୍ଷୋଭ କରିବା ପାଇଁ ଆମେ ଆପଣ ଘର ଆଗରେ ଟିକିଏ ବିକ୍ଷୋଭ କରିବୁ । ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ଏ ସବୁ ପ୍ରାୟୋଜିତ ଭାବେ କରାଉଛନ୍ତି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।
