ଭୁବନେଶ୍ୱର,୧୯/୨(ସତ୍ୟପାଠ ବ୍ୟୁରୋ): ଗତ ଉପନିର୍ବାଚନ ସମୟରେ ପଦ୍ମପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ। ବରଗଡ଼ ଝାରବନ୍ଧରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷେ ଭିତରେ ପଦ୍ମପୁର ଏକ ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଝାରବନ୍ଧରେ ଆୟୋଜିତ ହୋଇଥିବା ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟି ପ୍ରବଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁଣିଥରେ ଝାରବନ୍ଧକୁ ଆସି ମୁଁ ବହୁତ ଖୁସି ଅନୁଭବ କରୁଛି। ଏଠାକାର ଲୋକମାନଙ୍କର ଭଲପାଇବା ପାଇଁ ମୁଁ ଆପଣମାନଙ୍କ ଠାରେ ଋଣୀ ରହିବି। ପଦ୍ମପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୯୦ କୋଟି ଟଙ୍କା ମଂଜୁର କରାଯାଇଛି। ବର୍ଷକ ଭିତରେ ପଦ୍ମପୂର ଜିଲ୍ଲାହେବ। ମୁଁ ଯାହା ପ୍ରତିଶ୍ରୁତି ଦିଏ ତାକୁ ପୂରା କରେ।ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସେହିପରି ମିଶନ ଶକ୍ତି ବିଷଯରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିଶନଶକ୍ତି ପାଇଁ ୧କୋଟି ୨୩ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଛି।ଏହି ଟଙ୍କାକୁ ବ୍ୟବହାର କରି ମା’ ମାନେ ଉଦ୍ୟୋଗୀ ହୋଇପାରିବେ। ବିକାଶ ପାଇଁ ସାଧାରଣ ଲୋକେ ଦେଇଥିବା ପ୍ରସ୍ତାବକୁ ମୋ ସରକାର ଗ୍ରହଣ କରିଛନ୍ତି।ପାଇକମାଳ ପିଏଚସିକୁ ସିଏଚସି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଝାରବନ୍ଧ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ଭି.କେ. ପାଣ୍ଡିଆନ୍ ଭଟଲି ବିଧାୟକ ସୁଶାନ୍ତ ସିଂହ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ପ୍ରମୁଖ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ରବିବାର ବରଗଡ଼ ଜିଲ୍ଲାର ତିନୋଟି ବ୍ଲକ୍‌ ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳ ଗସ୍ତ କରି ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ସତୀଭଟା ଏୟାର୍‌ଷ୍ଟ୍ରିପ୍‌ରେ ଓହ୍ଲାଇ ସେଠାରୁ ହେଲିକପ୍ଟରରେ ବାହାରି ଝାରବନ୍ଧ ଶକ୍ତିଛକରେ ଓହ୍ଲାଇଥିଲେ। ସେଠାରେ ଜନତାଙ୍କୁ ସମ୍ବୋଦନ କରିବା ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଯୋଗେ ପାଇକମାଳଠାରେ ପହଁଚିଛନ୍ତି।

ପୁଣି ସେଠାରୁ ପଦ୍ମପୁରରେ ଓହ୍ଲାଇ ମଧ୍ୟାହ୍ନଭୋଜନ ସାରି ୩.୪୫ରେ ସେ ହାଇସ୍କୁଲ ପଡ଼ିଆରେ ପହଂଚିବେ। ସେଠାରେ ଆୟୋଜିତ କାର୍ଯ୍ୟକ୍ରମ ସାରି ସତୀଭଟା ଏୟାରଷ୍ଟ୍ରିପ୍‌ରୁ ପୁଣି ଭୁବନେଶ୍ୱର ଫେରିଆସିବେ। ଏହି କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ୨୫ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ କରାଯାଇଥିବା ବେଳେ ବେଳେ ୫ଜଣ ଏଏସ୍‌ପି, ୧୬ ଡିଏସ୍‌ପି, ୩୨ ଆଇଆଇସି ଓ ଶହେ ଜଣ ଏସ୍‌ଆଇ/ଏଏସ୍‌ଆଇ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି।