ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ନବ ଦାସ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସ ଆଜି ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ପ୍ରତିକ୍ରିୟା ଦେଇ ଦୀପାଳି କହିଛନ୍ତି ଯେ, ତାଙ୍କ ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ । ଜଣେ ଭଲ ଜଜଙ୍କ ତଦାରଖରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ମୋର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି ନିଶ୍ଚୟ ଆମ ପରିବାରକୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ଆମ ପରିବାର ସହ ଅଛନ୍ତି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ତେଣୁ ନିବେଦନ କରୁଛି ଏହାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ ବୋଲି ଦୀପାଳି କହିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ନଆସିବା ଯାଏ କିଛି କହିପାରିବୁନି। ତଦନ୍ତ ଚାଲିଥିବାରୁ ଗଣମାଧ୍ୟମ ଆଗରେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ।
ତେବେ ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆରମ୍ଭରୁ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏପରିକି ବିଜେପି ସଦସ୍ୟ ମାନେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଗୃହତ୍ୟାଗ କରି ବାହାରେ ଧାରଣା ଦେଇଛନ୍ତି। ସେହିପରି କଂଗ୍ରେସ ସଦସ୍ୟ ମନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣା ଦେଇଛନ୍ତି। ଏହି ଧାରଣା ସମୟରେ ବିରୋଧୀ ଦଳ ନେତା ନବ ଦାସ ହତ୍ୟାକାଣ୍ଡ ପଛରେ 5T ସଚିବ ପାଣ୍ଡିଆନ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଏହାସହିତ 5T ସଚିବ ଓ ପ୍ରଣବ ପ୍ରକାଶ ଦାସଙ୍କ କଲ ରେକର୍ଡ ଯାଞ୍ଚ ଓ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ତେବେ ବିରୋଧୀ ଦଳ ନେତାଙ୍କ ଏଭଳି ବିସ୍ଫୋରକ ମନ୍ତବ୍ୟ ପରେ ନବ ଦାସଙ୍କ ଝିଅ ଦୀପାଳି ଗଣମାଧ୍ୟମ ସାମ୍ନାକୁ ଆସି ବାପାଙ୍କ ହତ୍ୟାକାଣ୍ଡର ରାଜନୀତିକରଣ କରାନଯାଉ ବୋଲି କହିଛନ୍ତି।
