ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ଉଦ୍ଧବ ଠାକରେଙ୍କ ଗୋଷ୍ଠୀରୁ ଶିବସେନାର ନାମ ଓ ନିର୍ବାଚନ ଚିହ୍ନ ଯିବାପରେ ମହାରାଷ୍ଟ୍ରରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଲଗାତାର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଟାର୍ଗେଟ କରୁଛନ୍ତି। ଏହାରି ଭିତରେ ଠାକରେଙ୍କ ଗୋଷ୍ଠୀର ନେତା ସଞ୍ଜୟ ରାଉତ ପୋଲିସକୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ତାଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା କରିଛନ୍ତି।
ସଞ୍ଜୟ ରାଉତଙ୍କ ଅଭିଯୋଗ ଅନୁସାରେ, ଶିବସେନା ସାଂସଦ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଥାନେର ଜଣେ କଣ୍ଟଟ୍ରାକ୍ଟ କିଲରଙ୍କୁ ନିୟୋଜିତ କରିଛନ୍ତି। ଏନେଇ ସଞ୍ଜୟ ପୋଲିସକୁ ଚିଠି ଲେଖିଛନ୍ତି, ତାଙ୍କୁ ଜଣେ ସୁପାରୀ କିଲର ବିଷୟରେ ଜଣାପଡିଛି, ଯିଏକି ଥାନେର ଜଣେ ଗୁଣ୍ଡା ରାଜା ଠାକୁରକୁ ଦେଇଛି।
ଏହି ମାମଲାକୁ ନେଇ ସଞ୍ଜୟ ରାଉତ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ମଧ୍ୟ ଏକ ପତ୍ର ଲେଖିଛନ୍ତି ଓ ଏହାକୁ ଧ୍ୟାନ ରଖିବାକୁ କହିଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ, ଏହା ମଧ୍ୟ ଦାବି କରାଯାଉଛି ନିକଟରେ ବହୁ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ଆକ୍ରମଣ ହୋଇଛି ଓ ଏହି ଘଟଣା ଲଗାତାର ବଢିବାରେ ଲାଗିଛି। ପତ୍ରରେ କୁହାଯାଇଛି, ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ଏହାର ସୁରକ୍ଷା ଫେରାଇ ନେଇଛନ୍ତି। ତେଣୁ ତାଙ୍କୁ ଏଭଳି ରାଜନୈତିକ ନିଷ୍ପତ୍ତିର ଅଭିଯୋଗ ନାହିଁ। କିନ୍ତୁ ଆଶା କରାଯାଉଛି ସରକାର ରାଜ୍ୟରେ ଖରାପ ଆଇନ ବ୍ୟବସ୍ଥା ପାଇଁ ଦାୟିତ୍ବ ନେବେ ।





