ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଆଜି ଅପରାହ୍ନରେ ବି ଗୃହରେ ହଟଗୋଳ କରିଛନ୍ତି ବିରୋଧୀ। ଗୃହର ମଧ୍ୟଭାଗରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସର ସଦସ୍ୟମାନେ ଆସି ନାରାବାଜି କରିଥିଲେ। ତେବେ ଏହି ସମୟରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ପ୍ରସଙ୍ଗ ନେଇ ବିଜେଡି ସଦସ୍ୟମାନେ ନିଜ ଆସନରେ ଛିଡା ହୋଇ ନାରାବାଜି କରିଥିଲେ।
ଗୁରୁବାର ମୋସନ ଜରିଆରେ ବିରୋଧୀଙ୍କ ଦାବି ଆଲୋଚନା ହେବା ନେଇ ବାଚସ୍ପତିଙ୍କ ଘୋଷଣା ପରେ ବି ବିରୋଧୀଙ୍କ ହଟଗୋଳ କମି ନଥିଲା। ପ୍ଲାକାର୍ଡ ଧରି ନାରାବାଜିକୁ ଜାରି ରଖିଥିଲେ। ବାଚସ୍ପତିଙ୍କ ଅନୁରୋଧ ରକ୍ଷା କରି ବିଜେଡି ନାରାବାଜିରୁ ବିରତି ରହି ଆଲୋଚନାରେ ଭାଗ ନେଇଥିଲେ। ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବକ୍ତବ୍ୟ ରଖିଥିଲେ। ତଥାପି ହଟଗୋଳ ଲାଗି ରହିବାରୁ ଗୁରୁବାର ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି।
