ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ପୁଣି ନିଜ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଏକ ବଡ ଘୋଷଣା କରି ସୁର କହିଛନ୍ତି ଯେ, ମୁଁ ଆଉ ନିର୍ବାଚନ ଲଢିବିନି। ସେ କହିଛନ୍ତି ମୋତେ ୮୦ ବର୍ଷ ହେଲାଣି । ଏଣିକି ମୋ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ଲଢିବ ନିର୍ବାଚନ। ଏହାସହିତ ମୋ ପୁଅ କଂଗ୍ରେସ ଟିକେଟରୁ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ୫୫ ବର୍ଷ ଧରି କଂଗ୍ରେସ ପାଇଁ ମୁଁ କାର୍ଯ୍ୟ କରିଛି। କେବେ ନିଜ ଫାଇଦା ପାଇଁ ଦଳକୁ ବ୍ୟବହାର କରିନି। ସଚ୍ଚୋଟ ଭାବେ ଦଳ ପାଇଁ କାର୍ଯ୍ୟ କରିଛି ତେଣୁ ମୋ ସାନ ପୁଅ ମନ୍ମଥ ମଧ୍ୟ କଂଗ୍ରେସରୁ ନିର୍ବାଚନ ଲଢିବ।

ସେପଟେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବଙ୍କ ସହ ସାକ୍ଷାତ ପ୍ରସଙ୍ଗରେ ମତ ରଖିଛନ୍ତି ସୁର ।ସେ କହିଛନ୍ତି ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତକାର ଥିଲା। ମୋ ପୁଅ ସିଦ୍ଧାର୍ଥ ରାଉତରାୟ ପାହାଡ଼ ଚଢି ରେକର୍ଡ କରିଛି । ତା ସଫଳତା ବିଷୟରେ ଜଣେଇବା ପାଇଁ ଯାଇଥିଲି । ଭଲ ଆଲୋଚନା ହେଲା । ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଜାଣି ଖୁସି ହେଲେ ଆଶ୍ଚର୍ଯ୍ୟ ବି ହେଲେ । କେବଳ ମୋ ବଡ଼ ପୁଅ କଥା ଚର୍ଚ୍ଚା ହେଲା ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା ମନା କଲେ ସୁର ରାଉତରାୟ ।

ସୂଚନାଯୋଗ୍ୟ ଯେ, ଗତକାଲି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଭେଟିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।