ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦୁଇଦିନ ନବ ଦାସ ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଓ ହୋହାଲ୍ଲା ମଧ୍ୟରେ ବିତିଥିବା ବେଳେ କୌଣସି ଆଲୋଚନା ହୋଇପାରି ନଥିଲା। ତେବେ ଆଜି ତୃତୀୟ ଦିନରେ ସ୍ବାଭାବିକ ହୋଇଛି ଗୃହ କାର୍ଯ୍ୟ। ଆଜି ସ୍ଵାଭାବିକ ଭାବେ ପ୍ରଶ୍ନକାଳ ଚାଲିଛି। ପ୍ରଶ୍ନକାଳରେ ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଜଳ ସଂରକ୍ଷଣ ନେଇ ଗୃହରେ ସରଗରମ ଆଲୋଚନା ଜାରି ରହିଛି।
ପଦ୍ମନାଭ ବେହେରାଙ୍କ ଏକ ପ୍ରଶ୍ନରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହାନଦୀ ଅଵବାହିକାରେ ଖଇରମାଳ, ଗୋଧନେଶ୍ବର ଓ କପାଶିରାଠାରେ ବ୍ୟାରେଜ ନିର୍ମାଣ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ।ଖଇରମାଳ, ଗୋଧନେଶ୍ବର କେବଳ ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା ଅଛି । ଏହାକୁ ଅସନ୍ତୋଷ ପ୍ରକାଶ କରି ପଦ୍ମନାଭ କହିଛନ୍ତି, ଇନଷ୍ଟ୍ରିମ ଷ୍ଟୋରେଜ ନ ହେଲେ ମେଗା ଲିପିଟ ପଏଣ୍ଟ ଉଠା ଜଳସେଚନ କେମିତି ହେବ? ଏହା ସହ ସେ କହିଛନ୍ତି ବର୍ଷାଦିନେ ବି ଉପର ମୁଣ୍ଡରେ ଗେଟ ବନ୍ଦ ହେଲେ ପାଣି ଟିକିଏ ଆସୁନାହିଁ।
ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ସରକାରଙ୍କ ପୂର୍ବ ଘୋଷଣା କାର୍ଯ୍ୟକାରୀ ନ ହେବାକୁ ନେଇ ଗୃହରେ ବିରକ୍ତି ପ୍ରକାଶ କରିଥିବା ବେଳେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଭୁବନେଶ୍ବରର ପାନୀୟ ଜଳ ବ୍ୟବସ୍ତାକୁ ନେଇ ପ୍ରଶ୍ନ ଉଠାଇବା ସହ ଛତିଶଗଡ଼ ବନ୍ଧ ବାନ୍ଧି ପାଣି ରୋକୁଥିବା ବେଳେ କି ବ୍ୟବସ୍ଥା ସରକାର ନେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।
