ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କୋଟିଆରେ ଆନ୍ଧ୍ରପ୍ରଦେଶର ବେଆଇନ୍ ଅନୁପ୍ରବେଶ ନେଇ ନେଇ ବାରମ୍ବାର ଖବର ସାମ୍ନାକୁ ଆସୁଛି । ଏପରିକି ଆନ୍ଧ୍ର ଅଧିକାରୀ ମଧ୍ୟ ଆସି କୋଟିଆରେ ଡେରା ପକାଇବା ସହ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବାବଦରେ ଲୋକଙ୍କୁ ବୁଝାଉଛନ୍ତି। କିନ୍ତୁ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ଖବର ନାହିଁ । ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନରେ କିଛି ଏଭଳି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ରାଜସ୍ବ ମନ୍ତ୍ରୀ ଗୃହରେ କହିଛନ୍ତି ଯେ, ଆନ୍ଧ୍ର ଦ୍ଵାରା ୨୦୨୧ରୁ ଭତ୍ତା କିମ୍ବା ରାସନ୍ ବଣ୍ଟନ କି ରାସ୍ତା ନିର୍ମାଣ ସମ୍ପର୍କିତ ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ। ଆନ୍ଧ୍ର ତରଫରୁ ଏଠାରେ ରାସ୍ତା ନିର୍ମାଣ ହୋଇନାହିଁ। ସେହିଭଳି କୌଣସି କାର୍ଯ୍ୟକଳାପ ଦୃଷ୍ଟିଗୋଚର ହେଲେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ବିଧାନସଭାର ବଜେଟ ଅଧିବେଶନର ତୃତୀୟ ଦିନରେ ଗୁରୁବାର କୁସୁମ ଟେଟେ ଜାଣିବାକୁ ଚାହିଁଥିଲେ ଯେ, କୋଟିଆରେ ୨୦୨୧ରେ ଆନ୍ଧ୍ର ଅଧିକାରୀ କେତେ ଥର ଅନୁପ୍ରବେଶ କରିଛନ୍ତି। କୋଟିଆରେ ଆନ୍ଧ୍ର ଅଧିକାରୀ ଭତ୍ତା ଓ ରାସନ ବଣ୍ଟନ କରିବା ସହ ରାସ୍ତା ନିର୍ମାଣ କରୁଥିବାର ଖବର ସରକାରଙ୍କ ନଜରକୁ ଆସିଛି । ଯଦି ଆସିଛି ତେବେ ସରକାରଙ୍କ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୁସୁମଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତର ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି।
