ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଞ୍ଚାୟତର ଖାଲେପାରାଠାରେ ଜଣେ ଯୁବକଙ୍କୁ ମାଓବାଦୀମାନେ ଘରୁ ଡାକି ନେଇ ନିର୍ଦ୍ଧୁମ ମାଡ଼ ମାରିବା ସହିତ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଜଣାପଡ଼ିଛି। ଯୁବକଜଣକ ଉକ୍ତ ଗ୍ରାମର ଚନ୍ଦନ ମଲ୍ଲିକ (୪୨) ବୋଲି ସୂଚନା ମିଳିଥିବା ବେଳେ ପୁଲିସ ଇନଫର୍ମର ଅଭିଯୋଗ କରି ତାଙ୍କୁ ହତ୍ୟା କରାଯାଇଥିବା ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ପ୍ରାୟ ୨୫ରୁ ଉର୍ଦ୍ଧ୍ବ ମାଓବାଦୀ ଛତିଶଗଡ଼ ସୀମାକୁ ଲାଗି ରହିଥିବା ଖାଲେପାରା ଗ୍ରାମର ଚନ୍ଦନ ମଲ୍ଲିକଙ୍କୁ ଘରୁ ଡାକି ନେଇ ଘର ପାଖ ଅଙ୍ଗନବାଡି କେନ୍ଦ୍ର ନିକଟକୁ ଯାଇଥିଲେ। ସେଠାରେ ଗ୍ରାମବାସୀଙ୍କୁ ମଧ୍ୟ ଡକାଇ ଏକ ମିଟିଂ କରିଥିଲେ। ପରେ ସମସ୍ତଙ୍କୁ ଚାଲିଯିବାକୁ କହି ଚନ୍ଦନ ମଲ୍ଲିକଙ୍କୁ ହାତରେ ଦଉଡ଼ି ବାନ୍ଧି ନିକଟସ୍ଥ ପଡ଼ିଆକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହିତ ଏକ ଦଉଡ଼ିରେ ବେକକୁ ବାନ୍ଧି ଶ୍ୱାସରୁଦ୍ଧ କରି ମାରି ଦେଇଥିବା ବିଷୟ ତାଙ୍କ ବେକରେ ଥିବା ଚିହ୍ନରୁ ଜଣାପଡ଼ିଛି। ଘଟଣାସ୍ଥଳରେ କିଛି ମାଓ ପୋଷ୍ଟର ପଡ଼ିଥିବା ବେଳେ ଏହିି ହତ୍ୟାକାଣ୍ଡ ପାଈଁ ନବରଙ୍ଗପୁର ଏସ.ପି ଓ ଛତିଶଗଡ଼ର ଗାରିଆବନ୍ଧ ଏସ.ପି ଓ ପୁଲିସ ଗୋଇନ୍ଦା ବିଭାଗ ଦାୟୀ ରହିବେ ବୋଲି ଉକ୍ତ ପୋଷ୍ଟର ମାଧ୍ୟମରେ ଉଦନ୍ତି ଏରିଆ କମିଟି ତରଫରୁ ଉଲ୍ଲେଖ କରାଯାଇଛି। ଏଥିସହିତ ମୃତ ଚନ୍ଦନ କିଛିଦିନ ଧରି ପୁଲିସର ସହଯୋଗୀ ସାଜି ମାଓବାଦୀଙ୍କ ଗତିବିଧି ବିଷୟରେ ପୁଲିସକୁ ଖବର ଦେଉଥିଲେ ବୋଲି ଅଭିଯୋଗ ନେଇ ପୂର୍ବରୁ ତାଙ୍କୁ ଜନ ଅଦାଲତରେ ହାଜର କରି ଚେତାବନୀ ଦିଆଯାଇଥିଲା। କିନ୍ତୁ ସେ ପୁଣିଥରେ ପୁଲିସର ଇନଫର୍ମର ଭାବେ କାମ କରୁଥିବା ଯୋଗୁଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯାଇଥିବା ଉକ୍ତ ଲିଫ୍ଲେଟଗୁଡ଼ିକରେ ଉଲ୍ଲେଖ କରାଯାଇଛି। ତେବେ ରାଇଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ଗ୍ରାମବାସୀ ମଧ୍ୟ ଏ ନେଇ ମୁହଁ ଖୋଲୁ ନାହାନ୍ତି।
