ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ କରିଛନ୍ତି। ରାଜ୍ୟ ବଜେଟରେ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ଚଳିତ ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ମୋଟ ୨୨ ହଜାର ୨୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୨୦୨୨-୨୩ ଶିକ୍ଷା ବର୍ଷରୁ ଶ୍ରେଣୀ ଗୃହ ଭିତରେ ଓ ବାହାରେ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ପାଇଁ 5T ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧିନରେ ଏକାଡେମିକ କ୍ୟାଲେଣ୍ଡର, ହାଉସ ସିଷ୍ଟମ ଏବଂ ସ୍କୁଲ ସ୍ତରୀୟ କ୍ଲବ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ୱାଚ ଓ ୱାର୍ଡ ଓ ହାଉସକିପିଂ ସେବାର ବ୍ୟବସ୍ଥା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇଛି । ଏଥିପାଇଁ ୧ ଶହ ୩କୋଟି ଟଙ୍କା ବ୍ୟବରାଦ କରାଯାଇଛି ।
ମୋ ସ୍କୁଲ ଅଭିଯାନରେ ୭ ଲକ୍ଷ ୭୧ ହଜାର ୯ ଶହ ୩୪ ଜଣ ପୂର୍ବତନ ଛାତ୍ରଛାତ୍ରୀ ୩୧ ଜାନୁଆରୀ ୨୦୨୩ ସୁଦ୍ଧା ସାମିଲ ହେବା ୧ ଶହ ୯୬ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସେମାନଙ୍କ ଅନୁରୂପ ଅନୁଦାନକୁ ଦୃଷ୍ଟିରେ ରଖି ସରକାର ବିଦ୍ୟାଳୟ ଗୁଡିକର ସାମଗ୍ରିକ ବିକାଶ ପାଇଁ ୩ ଶହ ୮୨ କୋଟି ଟଙ୍କାର ଅନୁରୂପ ପ୍ରଦାନ କରିଛନ୍ତି । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୮ଶହ ୫କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ଦିଆଯାଇଛି ।
ସେହିପରି ବଜେଟ୍ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନେଇ ମଧ୍ୟ ଘୋଷଣା କରିଛନ୍ତି ସରକାର । ମୋଟ ୩୪ ହଜାର ୫ ଶହ ଜଣ ଛାତ୍ରଛାତ୍ରୀଙ୍କୁ ଏକାଡେମିକ ପୁରସ୍କାର, ୧୭ ହଜାର ୧ ଶହ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ପୁରସ୍କାର ଓ ଦଶମ ବୋର୍ଡ ରେଜଲ୍ଟ ଏବଂ ଆର୍ଥିକ ମାନଦଣ୍ଡ ଆଧାରରେ ମୋଟ ୨ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ।
ମାଧ୍ୟମିକ ବିଦ୍ୟାଳୟ ବର୍ଗ ପାଇଁ ୭ ଶହ ଶିକ୍ଷକ, ୪ ଶହ ୧୯ ଜଣ ପ୍ରଧାନ ଶିକ୍ଷକ, ୫୮ ଜଣ ସିଆରସିସି, ୧୦ ଜଣ ମଣ୍ଡଳ ଶିକ୍ଷା ଅଧିକାରୀ ଓ ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପୁରସ୍କୃତ କରାଯିବ । ସେହିଭଳି ପ୍ରାଥମିକ ବିଦ୍ୟାଳୟ ବର୍ଗରେ ୩ ଶହ ୫୦ ଜଣ ପ୍ରଧାନ ଶିକ୍ଷକଙ୍କ ସହ ୩ ଶହ ୧୯ ଜଣ ଶିକ୍ଷକ ସମ୍ବର୍ଦ୍ଦିତ ହେବେ । ପ୍ରାଥମିକ ଶିକ୍ଷା ସ୍ତରରେ ସଂସ୍ଥାଗତ ବର୍ଗରେ ୧୩ ଶହ ୭ଟି ବିଦ୍ୟାଳୟ ଓ ୩ଟି ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପୁରସ୍କାର ପ୍ରଦାନ କରାଯିବ । ମାଧ୍ୟମିକ ସ୍ତରରେ ୩ଟି ଜିଲ୍ଲା, ୧୦ଟି ବ୍ଲକ, ୧ ହଜାର ୫୭ଟି ବିଦ୍ୟାଳୟ, ୪ ଶହ ୧୪ଟି ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ୪ଶହ ୧୯ଟି ଶ୍ରେଷ୍ଠ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ କମିଟିକୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି।
