ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପ-ରାଜ୍ୟପାଳ ଭି.କେ ସକ୍ସେନାଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଏସବୁ ମଧ୍ୟରେ କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ଅଧିକାରୀ ମାନଙ୍କୁ ଶୁକ୍ରବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶରେ ଅଧିକାରୀମାନଙ୍କୁ ଉପ-ରାଜ୍ୟପାଳ ଭି.କେ ସକ୍ସେନାଙ୍କ ଠାରୁ କୌଣସି ଆଦେଶ ନେବାକୁ ବାରଣ କରାଯାଇଛି।
ସମସ୍ତ ମନ୍ତ୍ରୀମାନେ ନିଜ ନିଜ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଟ୍ରାନଜାକସନ୍ ଅଫ୍ ବିଜିନେସ୍ ରୁଲ୍ (TBR) କୁ କଡାକଡି ଭାବରେ ପାଳନ କରନ୍ତୁ । ସଚିବ ମାନଙ୍କୁ କୁହାଯାଇଛି ଯେ, ଉପରାଜ୍ୟପାଳ ସାକ୍ସେନାଙ୍କ ଠାରୁ ମିଲୁଥିବା କୌଣସି ବି ସିଧା ଆଦେଶ ବିଷୟରେ ମନ୍ତ୍ରୀଙ୍କୁ ରିପୋର୍ଟ କରନ୍ତୁ । କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀମାନେ ଏହା ପଛର କାରଣ ଦର୍ଶାଇ କହିଛନ୍ତି ଯେ ଉପ-ରାଜ୍ୟପାଳ (ଲେଫ୍ଟନାଣ୍ଟ ଗଭର୍ଣ୍ଣର) ସକ୍ସେନାଙ୍କ ଏପରି ଅସାମ୍ବିଧାନିକ ପ୍ରତ୍ୟକ୍ଷ ନିର୍ଦ୍ଦେଶର କାର୍ଯ୍ୟକାରିତା ଟିବିଆର ନିୟମ ୫୭ର ଉଲ୍ଲଂଘନ ଅଟେ । ଏଥି ସହ ଉପ-ରାଜ୍ୟପାଳଙ୍କ ପକ୍ଷରୁ ଦିଆଯାଇଥିବା କୌଣସି ଆଦେଶ ସମ୍ବିଧାନ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୁହେଁ ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର କହିଥିଲେ ଯେ, ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉପ-ରାଜ୍ୟପାଳ ଭି.କେ ସକ୍ସେନା ପଦକ୍ଷେପ ନେବା ଉଚିତ । ନବ ସରାୟ ପୋଲିସ ଷ୍ଟେସନ ଅଞ୍ଚଳରେ ୭୫ ବର୍ଷ ବୟସ୍କା ମହିଳାଙ୍କ ହତ୍ୟା ସହ ଜଡିତ ଏକ ମିଡିଆ ରିପୋର୍ଟ ସେୟାର କରି ସେ ଟ୍ୱିଟ କରି କହିଛନ୍ତି ଯେ, କାଲି ଯେତେବେଳେ ଆପଣ କହିଥିଲେ ଯେ ଆପଣ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତିରେ ସନ୍ତୁଷ୍ଟ ଅଛନ୍ତି, ସେତେବେଳେ ଲୋକମାନେ ଅତ୍ୟନ୍ତ ଦୁଃଖିତ ହୋଇଥିଲେ ।
ତେବେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ଵାଧୀନ ଆମ ଆଦମୀ ପାର୍ଟିର ସରକାର ଅଧିକାରୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେବାପରେ ଦୀର୍ଘଦିନ ଧରି ଉପ-ରାଜ୍ୟପାଳ ଓ କେଜ୍ରିୱାଲ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଅଧିକ ତୀବ୍ର ହେବ ବୋଲି ଚର୍ଚ୍ଚା ହେଉଛି।





