‘ଚୀନର ଆହ୍ବାନକୁ ବୁଝିବାରେ ସକ୍ଷମ ନୁହନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର’: ରାହୁଲ ଗାନ୍ଧୀ

ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ଏବେ ବ୍ରିଟେନ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଦେଶ ମାଟିରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ରାହୁଲ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି ସରକାରକୁ ବିଭିନ୍ନ ପ୍ରସଙ୍ଗରେ କ୍ରମାଗତ ଟାର୍ଗେଟ କରିବାରେ ଲାଗିଛନ୍ତି । ନିକଟରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାରତରେ ଗଣତନ୍ତ୍ର ବିପଦରେ ଥିବା କହିବା ପରେ ଏହାକୁ ନେଇ ବିଜେପି ତାଙ୍କୁ ଶାଣିତ ଟାର୍ଗେଟ କରିଥିଲା ।ପୁଣି ରବିବାର ରାହୁଲ ଚୀନ-ଭାରତ ସୀମା ବିବାଦ ପ୍ରସଙ୍ଗରେ ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି ।

ବ୍ରିଟେନରେ ଥିବା ଭାରତୀୟ ପତ୍ରକାର ସଂଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଲ ଭାରତର ବିଦେଶ ନୀତିକୁ ନେଇ ଆପତ୍ତି ଉଠାଇଛନ୍ତି । ୟୁକ୍ରେନ-ଋଷ ଯୁଦ୍ଧ ପ୍ରସଙ୍ଗରେ ସେ ମୋଦି ସରକାରର ବୈଦେଶିକ ଆଭିମୁଖ୍ୟରେ ଏତେଟା ଅସହମତ ନୁହନ୍ତି ବୋଲି କହିଥିବା ରାହୁଲ ଚୀନ ସୀମା ବିବାଦ ପ୍ରସଙ୍ଗରେ ବିଦେଶ ମନ୍ତ୍ରଣାଳୟର ଆଭିମୁଖ୍ୟକୁ ନେଇ କଡା ଟିପ୍ପଣୀ କରିଛନ୍ତି।

ପୂର୍ବ-ଲଦାଖ କ୍ଷେତ୍ରରେ ଚୀନର ଅନୁପ୍ରବେଶ ଓ ଭାରତୀୟ ଅଞ୍ଚଳ ଦଖଲ ସମ୍ପର୍କିତ ପ୍ରସଙ୍ଗରେ ରାହୁଲ କହିଥିଲେ,”ଭାରତ ସବୁବେଳ ଅନୁପ୍ରବେଶର ଶିକାର ହୋଇରହିଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଚୀନ ପଟରୁ ଭାରତକୁ ଥିବା ଆହ୍ବାନକୁ ବୁଝିବାରେ ସକ୍ଷମ ନୁହନ୍ତି । ସୀମାରେ ଚୀନ କ’ଣ କରୁଛି ତାହା ଭାରତ ଅତି ସତର୍କତାର ସହ ଲକ୍ଷ୍ୟ କରିବାର ଆବଶ୍ୟକତା ରହିଛି ।”

ସେହିପରି ସେ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ନିଜ ଉତ୍ତରରେ ଉଲ୍ଲେଖ କରିଛନ୍ତି । ସମାନ ବିଚାରଧାରାରେ ବିଶ୍ବାସ କରୁଥିବା ସମ-ଆଦର୍ଶବାଦୀ ରାଜନୈତିକ ବିରୋଧୀ ଦଳମାନେ ବିଜେପି ବିରୋଧରେ ଲଢିବାର ଆବଶ୍ୟକତା ରହିଛି । ଏହି ପ୍ରସଙ୍ଗରେ ସେମାନେ ଆଲୋଚନା ମଧ୍ୟ ଜାରି ରଖିଛନ୍ତି ବୋଲି ରାହୁଲ କହିଛନ୍ତି ।

ରାହୁଲ କହିଛନ୍ତି, ବିରୋଧୀ ଦଳଗୁଡିକ ମଧ୍ୟରେ ଅନେକ ସମନ୍ୱୟ ରହିଛି । ଏକାଧିକ ବିରୋଧୀ ଦଳଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ସମ ବିଚାରଧାରାରେ ବିଶ୍ବାସ କରୁଥିବା ଦଳମାନେ ମିଳିତ ଭାବେ ଭାରତୀୟ ଜନତା ପାର୍ଟି ଓ ସ୍ବଂୟ ସେବକ ସଂଘ ଏଜେଣ୍ଡା ବରୋଧରେ ଲଢିବା ପାଇଁ ଚିନ୍ତା କରୁଛନ୍ତି । କେତେକ ରାଜ୍ୟ ମଧ୍ୟରେ କିଛି ବୈଚାରିକ ମତାନ୍ତର ରହିଛି । ହେଲେ ବିରୋଧୀ ଦଳମାନେ ସେଗୁଡିକୁ ପ୍ରଭାବୀ ଭାବେ ସମାଧାନ କରିବା ଦିଗରେ ମଧ୍ଯ ସକ୍ଷମ ବୋଲି ରାହୁଲ କହିଛନ୍ତି ।

Related Posts