ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡି ଫାଟ। ୨୦୨୪ ନିର୍ବାଚନ ପଖଉ ଥିବାବେଳେ ଏବେଠୁ ଟିକେଟ ପାଇଁ ଆରମ୍ଭ ହୋଇଗଲାଣି କସରତ। ପତିଆରା ଜାହିର ପାଇଁ ନେତା ଭୁଲିଗଲେଣି ଦଳୀୟ ଅନୁଶାସନ। ଭିନ୍ନଭିନ୍ନ ଗୋଷ୍ଠୀଙ୍କ ଭିନ୍ନଭିନ୍ନ ସଭା ଓ ଭିନ୍ନଭିନ୍ନ କାର୍ଯ୍ୟକ୍ରମ। ଏଭଳି ଦେଖିବାକୁ ମିଳିଛି ଗତକାଲି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଅବସରରେ।
ପୁରୀରେ ବିଜେଡି ଦୁଇ ଫାଳ ହୋଇଛି ବୋଲି ପୂର୍ବରୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ଗତକାଲି ଏହା ସଫା ସଫା ଦେଖିବାକୁ ମିଳିଛି। ଜିଲ୍ଲା ବିଜେଡି ସଭାପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ପୃଥକ ପୃଥକ ଭାବେ ବିଜୁ ଜୟନ୍ତୀ ପାଳନ କରିଛନ୍ତି।

ମହେଶ୍ଵରଙ୍କ ପକ୍ଷରୁ ଜିଲ୍ଲା ବିଜେଡି କାର୍ଯ୍ୟାଳୟଠାରେ ସାଧାରଣ ସଭା ଆୟୋଜିତ କରାଯାଇଥିବା ବେଳେ ସୁଭାଶିଷଙ୍କ ପକ୍ଷରୁ ସାଇକେଲ ରାଲି, ଶ୍ରୀ ମନ୍ଦିର ସମ୍ମୁଖରେ ଦୀପଦାନ, ଆୟୁର୍ବେଦିକ ମହାବିଦ୍ୟାଳୟ ରେ ସାଧାରଣ ସଭା ସହ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। କିନ୍ତୁ ଅଲଗା ଅଲଗା ସଭାକୁ ଦଳୀୟ ଏଜେଣ୍ଡା ବୋଲି କହି ଜଳ ଜଳ ଦେଖାଯାଉଥିବା ଫାଟକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ଶୁଭାଶିଷ।

ପୁରୀର ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ପୂର୍ବରୁ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ଭାବେ କାର୍ଯ୍ୟ କରି ସାରିଥିବା ବେଳେ ପୁରୀ ରାଜନୀତିରେ ତାଙ୍କର ଅଖଣ୍ଡ କ୍ଷମତା ରହିଥିଲା। ହେଲେ ୨୦୧୯ ନିର୍ବାଚନରେ ଜୟନ୍ତ ଷଡ଼ଙ୍ଗୀଙ୍କ ଠାରୁ ମହେଶ୍ୱର ନିର୍ବାଚନ ହାରିବା ପରେ ଏବେ ପୁରୀ ରାଜନୀତିରେ ନୂଆ ଚେହେରା ଭାବେ ଉଭା ହୋଇଛନ୍ତି ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ । ପ୍ରତିଟି ଦଳୀୟ କାର୍ଯ୍ୟକ୍ରମରେ ଏବେ ମହେଶ୍ୱର ଓ ଶୁଭାଶିଷଙ୍କ ଗୋଷ୍ଠୀଙ୍କୁ ଅଲଗା ଅଲଗା ଦେଖିବାକୁ ମିଳୁଛି। ଏପରିକି କିଛି କାର୍ଯ୍ୟକ୍ରମରେ ଉଭୟ ଉଭୟଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ପଛାଉ ନାହାନ୍ତି।
ତେବେ ପୁରୀରେ ପତିଆରା ଲଢେଇ ଯୋଗୁଁ ଦଳରେ ସୃଷ୍ଟି ହୋଇଥିବା ଫାଟ ଆଗକୁ ଆହୁରି ମେଲୁଛି ନା ଦଳୀୟ ନେତୃତ୍ୱ ଏହାକୁ ମ୍ୟାନେଜ କରିବାରେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।





