ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୁଣି ଥରେ ଜେରା ହେବେ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଜି ତିହାର ଜେଲ୍ ଭିତରେ ସିସୋଦିଆଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି)। ଏଥିପାଇଁ ଆଜି ଇଡିର ତିନି ଜଣିଆ ଅଧିକାରୀ ଟିମ୍ ତିହାର ଜେଲ୍ ଗସ୍ତରେ ଯାଇଛନ୍ତି।
ମନୀଷ ସିସୋଦିଆଙ୍କୁ ପଚରାଉଚରା ପାଇଁ ଇଡି କୋର୍ଟରୁ ଅନୁମତି ନେଇଛି। ଆଜି ପଚରାଉଚରା ପରେ ସିସୋଦିଆଙ୍କୁ ଇଡି ମଧ୍ୟ ଗିରଫ କରିପାରେ ବୋଲି କୁହାଯାଉଛି। ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଅରୁଣ ପିଲ୍ଲାଇଙ୍କୁ ଇଡି ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣ ଗିରଫ ହୋଇସାରିଲେଣି।
ଗତ କିଛି ଦିନ ତଳେ ସିବିଆଇ ଦ୍ୱାରା ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଗତକାଲି କୋର୍ଟ ମାର୍ଚ୍ଚ ୨୦ ଯାଏଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ପୂର୍ବରୁ ଆପ୍ ନେତା ସିସୋଦିଆଙ୍କୁ ପ୍ରଥମେ ପାଞ୍ଚ ଦିନ ଓ ପରେ ଦୁଇ ଦିନ ପାଇଁ ସିବିଆଇ ରିମାଣ୍ଡକୁ ପଠାଯାଇଥିଲା। ଏହାର ଅବଧି ଶେଷ ହେବା ପରେ ସିସୋଦିଆଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ।





