ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି କୋନାରଡ ସଙ୍ଗମା। ତାଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ। କୋନରଡ ସାଙ୍ଗମାଙ୍କ ବ୍ୟତୀତ ପ୍ରେଷ୍ଟନ୍ ଟିନ୍ସଙ୍ଗ ଏବଂ ସ୍ନିଆବଭାଲାଙ୍ଗ ଧର ମେଘାଳୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ, ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୨୭ରେ ମତଦାନ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୨ରେ ତ୍ରିପୁରା ଏବଂ ନାଗାଲାଣ୍ଡ ସହ ରାଜ୍ୟର ନିର୍ବାଚନ ଫଳାଫଳ ବାହାରିଥିଲା, ଯେଉଁଥିରେ କୋନାରଡ ସଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ୨୬ଟି ଆସନ ଜିତିଥିଲା।
କୋନାରଡ ସଙ୍ଗମା ବିଜେପି ସହିତ ମିଶି ସରକାର ଗଠନ ପାଇଁ ଦାବି କରିଥିଲେ। ଏଥିପାଇଁ ସେ ୨୨ ଜଣ ବିଧାୟକଙ୍କ ଦ୍ୱାରା ସ୍ୱାକ୍ଷରିତ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। ପରେ ସେ ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟିର ୧୧ ବିଧାୟକ ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ଫ୍ରଣ୍ଟର ଆଉ ୨ ଜଣ ବିଧାୟକଙ୍କ ସମର୍ଥନ ହାସଲ କରିଥିଲେ। ଏହିପରି ଭାବରେ ସଙ୍ଗମାଙ୍କ ପାଖରେ ୪୫ ଜଣ ବିଧାୟକଙ୍କ ସମର୍ଥନ ପହଞ୍ଚିଥିଲା।





