ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାର ସୀମା ସୁରକ୍ଷା ବଳ(ବିଏସଏଫ୍)ରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ କରିବାର ଘୋଷଣା କରିଛନ୍ତି। ସୀମା ସୁରକ୍ଷା ବଳ, ଜେନେରାଲ ଡ୍ୟୁଟି କ୍ୟାଡର (ଅଣ ଗେଜେଟେଡ୍) ନିଯୁକ୍ତି ନିୟମ ୨୦୧୫ ସଂଶୋଧନ କରି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ମାର୍ଚ୍ଚ ୯ରୁ ଲାଗୁ କରାଯାଇଛି । ଅଗ୍ନିପଥ ଯୋଜନାରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ଦଶ ପ୍ରତିଶତ ଖାଲି ସ୍ଥାନ ସଂରକ୍ଷଣ ରଖାଯାଇଛି। ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବୟସ ସୀମେ ୫ବର୍ଷ ଏବଂ ଅନ୍ୟମାନଙ୍କ ପାଁ ୩ ବର୍ଷ କୋହଳ କରାଯାଇଛି। ସେହିପରୀ ପୂର୍ବତନ ଅଗ୍ନିବୀରଙ୍କୁ ଶାରୀରିକ ପରୀକ୍ଷା ହେବାକୁ ପଡ଼ିବନି ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜୁନ୍ ୧୪ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ କେନ୍ଦ୍ର ସରକାର।ଅଗ୍ନିପଥ ହେଉଛି ତିନି ବାହିନୀରେ ଏକ ମେଧା-ଆଧାରିତ ନିଯୁକ୍ତି ଯୋଜନା। ସଶସ୍ତ୍ର ବାହିନୀରେ ନିୟମିତ କ୍ୟାଡରରେ ଏମାନଙ୍କୁ କାମ କରିବାର ସୁଯୋଗ ମିଳିବ। ଯେଉଁମାନେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇବେ ସେମାନଙ୍କୁ ‘ଅଗ୍ନିବୀର’ କୁହାଯିବ। ଅଗ୍ନିବୀରମାନଙ୍କୁ ତାଲିମ ଅବଧି ସମେତ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ। ୪ ବର୍ଷ ପରେ ମାତ୍ର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେମାନଙ୍କ ମେଧା, ଯୋଗ୍ୟତା, ଆଗ୍ରହ ଓ ମେଡିକାଲ ଫିଟ୍ନେସ୍ ଭିତ୍ତିରେ ପୁଣି ତାଲିମ ଦିଆଯିବ ବା ନିୟମିତ କ୍ୟାଡର ପାଇଁ ତାଲିକାଭୁକ୍ତ କରାଯିବ। ଏହାପରେ ସେମାନେ ଆଉ ୧୫ ବର୍ଷ ବା ପୂରା ଅବଧି ସେନାରେ ଚାକିରି କରିପାରିବେ। ପ୍ରଥମ ଚାରିବର୍ଷ ସେମାନେ ଠିକା ଭିତ୍ତିରେ ନିଯୁକ୍ତି ପାଇବେ।
ଏହାକୁ ଅନ୍ତିମ ପେନସନ ସୁବିଧା ପାଇଁ ବିଚାରକୁ ନିଆଯିବ ନାହିଁ। ବାକି ଯେଉଁ ୭୫ ପ୍ରତିଶତ ୪ ବର୍ଷ ପରେ ସେନାରୁ ବିଦା ହୋଇଯିବେ ସେମାନଙ୍କୁ ୧୧-୧୨ ଲକ୍ଷ ଟଙ୍କାର ଏକ ‘ସେବାନିଧି’ ପ୍ୟାକେଜ ମିଳିବ। ଏହି ଟଙ୍କା ସେମାନଙ୍କ ୪ ଚାକିରିକାଳୀନ ଦରମାରୁ କଟିଥିବା ୩୦ ପ୍ରତିଶତ ଦରମାରୁ ମିଳିବ। ଏଥି ସହ ସ୍କୁଲ ସାର୍ଟିଫିକେଟ୍ ଏବଂ ବ୍ୟାଙ୍କ ଲୋନ୍ ବି ମିଳିବ। ଏହି ୧୧-୧୨ ଲକ୍ଷ ଟଙ୍କା ସେମାନଙ୍କୁ ପରବର୍ତ୍ତୀ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିବ।





