ଭୁବନେଶ୍ୱର,୧୧/୩ (ସତ୍ୟପାଠ ବ୍ୟୁରୋ): ଜମି ବଦଳରେ ଚାକିରି ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ସମ୍ପର୍କୀୟଙ୍କ ଘରେ ଇଡି ଚଢାଉ କରିଛି । ଚଢାଉ ସମୟରେ ଜବତ ହୋଇଛି ଆଖି ଖୋସି ହୋଇଗଲା ପରି ସମ୍ପତ୍ତି । ଗତକାଲିଠାରୁ ଇଡି ଲାଲୁ ଓ ତାଙ୍କ ପରିବାର, ସମ୍ପର୍କୀୟ ତଥା ଦଳୀୟ ନେତାଙ୍କ ସମେତ ଅନେକ ସ୍ଥାନରେ ଇଡି ପକ୍ଷରୁ ଘନଘନ ଚଢାଉ ଚାଲିଛି । ତେବେ ଯାଞ୍ଚ ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଢାଉ ବେଳେ ଲାଲୁଙ୍କ ପରିବାର ସଦସ୍ୟଙ୍କ ଘରେ ରେଡ୍ ସମୟରେ ନଗଦ ୫୩ ଲକ୍ଷ ଟଙ୍କା, ୧,୯୦୦ ଆମେରିକୀୟ ଡଲାର, ୫୪୦ ଗ୍ରାମ ସୁନା ବିସ୍କୁଟ ଓ ଦେଢ କେଜି ଓଜନର ସୁନାଗହଣାକୁ ମିଶାଇ ମୋଟ ୨ କେଜିରୁ ଅଧିକ ଓଜନର ସୁନା ଜବତ କରାଯାଇଛି ।ଏହି ଚଢାଉ ସମୟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଉପସ୍ଥିତ ଥିଲେ ।
ପାଟଣା, ଫୁଲବାରୀଶରିଫ, ଦିଲ୍ଲୀ-ଏନସିଆର, ରାଞ୍ଚି ଏବଂ ମୁମ୍ବାଇରେ ଏହି ଚଢାଉ କରାଯାଇଛି ଯେଉଁଠି ଲାଲଙ୍କ ଝିଅ ରାଗିଣୀ ଯାଦବ, ଚନ୍ଦା ଯାଦବ, ହେମା ଯାଦବ, ଆରଜେଡିର ପୂର୍ବତନ ବିଧାୟକ ଅବୁ ଦୋଜାନା, ଅମିତ କତ୍ୟାଲ, ନବଦୀପ ସରଦାନା ଏବଂ ପ୍ରବୀଣ ଜୈନ ପ୍ରମୁଖ ରୁହନ୍ତି ।କେନ୍ଦ୍ରୀୟ ସୁରକ୍ଷା ବଳ ଏସକର୍ଟରେ ଇଡି ଏକକାଳୀନ ୨୪ଟି ସ୍ଥାନରେ ଚଢାଉ କରିଛି । ଶୁକ୍ରବାର ଅଧା ରାତି ପର୍ଯ୍ୟନ୍ତ ଏହି ଚଢାଉ ଜାରି ରହିଥିଲା।
ଇଡିର ଏହି ଚଢାଉକୁ ନେଇ ଲାଲୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଖାଲି ଲାଲୁ ନୁହେଁ, ସବୁ ବିପକ୍ଷ ଏହା ବିରୋଧରେ ଏକଜୁଟ ହୋଇଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜନ ଖଡଗେ କହିଛନ୍ତି, ଗତ ୧୪ ଘଣ୍ଟା ଧରି ମୋଦି ବିହାର ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଘରେ ଇଡିକୁ ବସାଇ ରଖିଛନ୍ତି ।ତାଙ୍କର ଗର୍ଭବତୀ ପତ୍ନୀ ଏବଂ ଭଉଣୀଙ୍କୁ ହଇରାଣ କରାଯାଉଛି ।ଲାଲୁପ୍ରସାଦ ମଧ୍ୟ ଜଣେ ବରିଷ୍ଠ ନାଗରିକ । ସେ ରୋଗୀ ମଧ୍ୟ ତଥାପି ମୋଦି ସରକାର ତାଙ୍କ ପ୍ରତି ମାନବିକତା ଦେଖାଉ ନାହାନ୍ତି । ମୋଦି ସରକାର ବିପକ୍ଷ ନେତାଙ୍କ ବିରୋଧରେ ଇଡି-ସିବିଆଇର ଉପଯୋଗ କରି ଗଣତନ୍ତ୍ରର ହତ୍ୟା କରୁଛନ୍ତି ।
ଲାଲୁ ନିଜେ ମଧ୍ୟ ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆଜି ଘରେ ତାଙ୍କର ଗର୍ଭବତୀ ବୋହୂକୁ ବିନା କୌଣସି ଆଧାରରେ ଇଡି ଡେରା କରିଛି। ଏହା ପଛରେ ଶାସକ ଦଳ ବିଜେପି ଅଛି ବୋଲି ସେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଡି ଅଧିକାରୀମାନେ ପ୍ରାୟ ୧୪ ଘଣ୍ଟା ଧରି ଯାଞ୍ଚ କରିଥିଲେ। ରାତି ପ୍ରାୟ ୧୨ଟା ୧୫ରେ ଇଡିର ଟିମ ତେଜସ୍ୱୀଙ୍କ ଘରୁ କିଛି କାଗଜପତ୍ର ନେଇ ବାହାରି ଆସିଥିଲେ। ଆଉ ଏହାପରେ ତେଜସ୍ୱୀ ଯାଦବ ବି ଘରୁ ବାହାରି ଆସିଥିଲେ। ଏପଟେ ଗାଜିଆବାଦରେ ଲାଲୁଙ୍କ ଝିଅଙ୍କ ଘରେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢାଉ କରାଯାଇଥିଲା।





