ଜମି ବଦଳରେ ଚାକିରି ଦୁର୍ନୀତି ମାମଲା; ତେଜସ୍ବୀ ଯାଦବଙ୍କୁ ସିବିଆଇର ସମନ, ଆଜି ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୧/୩ (ସତ୍ୟପାଠ ବ୍ୟୁରୋ): ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି । ଇଡି ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନରେ ଚଢାଉ କରିବାର ୨୪ ଘଣ୍ଟା ନ ପୁରୁଣୁ ଆଜି ଆରଜେଡି ନେତାଙ୍କୁ ପୁଣିଥରେ ଜେରା ପାଇଁ ଆଜି ସମନ ଜାରି କରିଛି ସିବିଆଇ । ଏହାପୂର୍ବରୁ ଗତ ଫେବୃଆରୀ ୪ ତାରିଖରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତେଜସ୍ବୀଙ୍କୁ ସମନ କରିଥିଲା । କିନ୍ତୁ ସେ ସିବିଆଇ ଅଫିସରେ ହାଜର ହୋଇନଥିଲେ । ତେଣୁ ଏବେ ଦ୍ବିତୀୟ ଥର ତାଙ୍କୁ ସିବିଆଇରୁ ଡକରା ଆସିଛି । ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା ପାଇଁ ଆଜି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ତେଜସ୍ବୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢାଉ କରିଥିଲା । ତାଙ୍କୁ ଦୀର୍ଘ ୧୧ ଘଣ୍ଟା ଧରି ଜେରା କରାଯାଇଥିଲା । ସେହିପରି କିଛି ଦିନ ପୂର୍ବରୁ ସିବିଆଇ ତାଙ୍କର ବାପା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ମାଆ ରାବେଡି ଦେବୀଙ୍କୁ ୫ ଘଣ୍ଟା କାଳ ମାରଥନ ଜେରା କରିଥିଲା । ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ସତ୍ତ୍ବେ ତାଙ୍କୁ ଜେରା କରାଯିବାକୁ ନେଇ ବିରୋଧି ଦଳ ତଦନ୍ତକାରୀ ଏଜେନ୍ସି ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ସେହିପରି ଝିଅ ରୋହିଣୀ ମଧ୍ୟ ବାପାଙ୍କର କିଛି ହେଲା କାହାକୁ ଛାଡିବିନି ବୋଲି ଚେତାବନୀ ଦେଇଥିଲେ । ଇଡି ଗତକାଲି ଲାଲୁଙ୍କ ୩ ଝିଅଙ୍କ ସମେତ ତାଙ୍କର ସମ୍ପର୍କୀୟଙ୍କ ଦିଲ୍ଲୀ, ଏନସିଆର ଓ ବିହାରରେ ଥିବା ୧୫ରୁ ଅଧିକ ଠିକଣାରେ ଛାନଭିନ୍ କରିଥିଲା ।

ସୂଚନାଯୋଗ୍ୟ ଯେ, ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ୟୁପିଏ ସରକାରରେ ରେଳମନ୍ତ୍ରୀ ଥିଲେ । ସେହି ସମୟରେ ସେ ରେଳ ବିଭାଗରେ ଚାକିରି ଦେବା ପାଇଁ ଲାଞ୍ଚ ଭାବେ ଜମି ନେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଲାଲୁଙ୍କ ସମେତ ପତ୍ନୀ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବେଡି ଦେବୀ, ସାଂସଦ ଝିଅ ମିସା ଭାରତୀ, ରେଳବାଇର ତତ୍କାଳୀନ ଜେନେରାଲ ମ୍ୟାନେଜରଙ୍କ ସମେତ ୧୪ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି । ଆସନ୍ତା ୧୫ ତାରିଖରେ ସମସ୍ତଙ୍କୁ ପଚରାଉଚରା ପାଇଁ ସମନ ଜାରି ହୋଇଛି ।

Related Posts