ବିଧାନସଭାରେ ଉଠିଲା ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର,୧୬/୩ (ସତ୍ୟପାଠ ବ୍ୟୁରୋ): ଡ୍ରାଇଭର ଆନ୍ଦୋଳନକୁ ନେଇ ବିଧାନସଭାରେ ହଟ୍ଟଗୋଳ । ଉଭୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହଙ୍ଗାମା। ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କଲେ ବିରୋଧୀ ।

ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲେ। ନରସିଂହ କହିଥିଲେ, ସରକାର ଡ୍ରାଇଭରମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆଉ ଗୋଟିଏ ଗ୍ରୁପକୁ ଉସୁକାଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି । ରାଜ୍ୟରେ ପରିବହନ ସେବା ଠପ୍ ହୋଇପଡିଛି । ଗୃହରେ ଆଲୋଚନା ହେଲା ବେଳେ ଅଫିସର ରହୁନାହାନ୍ତି । ଆମେ ବାଧ୍ୟ ହୋଇ ଗୃହ ମଧ୍ୟଭାଗକୁ ଯାଉଛୁ ବୋଲି ନରସିଂହ କହିଛନ୍ତି ।

ଡ୍ରାଇଭରମାନେ ନିଜର ହକ୍ ପାଇଁ ଦିନ ରାତି ଏକ କରି ବୁଧବାରଠାରୁ ରାଜରାସ୍ତାକୁ ଆସିଛନ୍ତି । ସରକାର କିନ୍ତୁ ଚୁପ୍ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗୃହରେ ଉଦବେଗ ରହିବ । ଆଉ କାଳ ବିଳମ୍ବ ନକରି ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବା ସହ ତାଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି । ଏହାପରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ସେପଟେ ଗୃହ ସୁପରିଚାଳନା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି।

Related Posts