ଭୁବନେଶ୍ୱର,୧୬/୩ (ସତ୍ୟପାଠ ବ୍ୟୁରୋ): ଅଟୋ ଆନ୍ଦୋଳନ ପ୍ରତ୍ୟାହୃତ । ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ । ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲା ସଂଘ।
ଆନ୍ଦୋଳନ ପ୍ରତ୍ୟାହାର ନେଇ ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କ ସୂଚନା। ସେହିପରି ଯେଉଁ ଯେଉଁ ସ୍ଥାନରେ ବୁଧବାର ଦିନ ଦୁର୍ବ୍ୟବହାର ହୋଇଥିଲା । ସେନେଇ ସ୍ଥାନୀୟ ଥାନାରେ ଏତଲା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଡ଼ିଜିଙ୍କ ସହ ଆଲୋଚନା ସମୟରେ ଅଟୋ ସଂଘ ସହ ଓଡିଶା ପରିବହନ ମୋଟର କର୍ମଚାରୀ ସଂଘ ମଧ୍ୟ ସାମିଲ ଥିଲେ।
ସୂଚନାଯୋଗ୍ୟ ଯେ, ଗତକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଷ୍ଟିୟରିଂ ବନ୍ଦ ଆନ୍ଦୋଳନ ସମୟରେ ସାମିଲ ହୋଇ ନ ଥିବା ଡ୍ରାଇଭରମାନଙ୍କୁ ଡ୍ରାଇଭର ମହାସଂଘ ପକ୍ଷରୁ ବିଚ୍ ରାସ୍ତାରେ ଘୋର ଅପମାନିତ କରାଯାଉଥିବା ଅଭିଯୋଗ ହୋଇଥିଲା। ଏପରିକି ରାଜରାସ୍ତାରେ ସେମାନଙ୍କ ଗାଡ଼ିକୁ ଅଟକାଇ ଡ୍ରାଇଭରଙ୍କୁ ଓହ୍ଲାଇ ଦିଆଯାଇଥିଲା। ଏହାପରେ ସେମାନଙ୍କ ବେକରେ ଫୁଲମାଳ ପକାଇ ହାତରେ ଏକ ପ୍ଲାକାର୍ଡ ଧରା ଯାଇଥିଲା। ଉକ୍ତ ପ୍ଲାକାର୍ଡରେ ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ ବୋଲି ଲେଖା ଥିଲା। ଏପରିକି ତାହାର ଫଟୋ ବି ଉଠାଯାଇଥିଲା। ଅନ୍ୟ ସଂଗଠନର ସଦସ୍ୟଙ୍କୁ ଏଭଳି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଏଥିନିମନ୍ତେ ଆଜିଠୁ ଆନ୍ଦୋଳନ କରିବେ ବୋଲି ସ୍ମାର୍ଟ ସିଟି ଅନଲାଇନ ଅଟୋ ଡ୍ରାଇଭର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ସଂଘ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା । ପ୍ରାୟ ୧୦ ହଜାର ଅଟୋ ଏବଂ କାର ଡ୍ରାଇଭର ଏଥିରେ ସାମିଲ୍ ହୋଇଥିଲେ ଏବଂ ଲୋୟର ପିଏମଜି ଏବଂ ଜନପଥରେ ଧାରଣା ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଥିଲା । ଶେଷରେ ଗୁରୁବାର ପୋଲିସ ଡିଜି ଏବଂ ସ୍ମାର୍ଟ ସିଟି ଅନ୍ଲାଇନ୍ ଅଟୋ ଚାଳକ ସଂଘ ପକ୍ଷରୁ ଏକ ବୈଠକ ବସିଥିଲା । ଏହି ବୈଠକରେ ଡିଜିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛି ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ।





