ଭୁବନେଶ୍ୱର,୨୦/୩(ସତ୍ୟପାଠ ବ୍ୟୁରୋ): ଗତ ୩ ବର୍ଷରେ ରାଜ୍ୟରେ ୯୭୦ ଜଣ ନଦୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଜ୍ୟରେ ବିଭିନ୍ନ ସ୍ଥାନରେ ନିକଟରେ ଥିବା ନଦୀମାନଙ୍କରେ ଗାଧୋଇବା ସମୟରେ ଗତ ୩ ବର୍ଷ ମଧ୍ୟରେ କେତେ ଜଣ ବୁଡିଛନ୍ତି ।ସେମାନଙ୍କ ମଧ୍ୟରୁ କେତେଜଣ ମୃତ୍ୟୁବରଣ କରିଛନ୍ତି ଓ କେତେଜଣଙ୍କୁ ଉଦ୍ଧାର କରାଯାଇଛି । ଏପରିକି ଏଭଳି ଦୁର୍ଘଟଣାକୁ ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ସୌଭିକ ବିଶ୍ୱାଳ ପ୍ରଶ୍ନ କରିଥିଲେ ।
ଏହି ପ୍ରଶ୍ନର ଲିଖିତ ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ରାଜ୍ୟରେ ବିଭିନ୍ନ ନଦୀମାନଙ୍କରେ ଗାଧୋଇବା ସମୟରେ ଗତ ୩ ବର୍ଷରେ ମୋଟ ୧୬୧୫ ଜଣ ବୁଡିଥିବା ବେଳେ ୬୧୩ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୯୭୦ ଜଣ ମୃତ୍ୟୁବରଣ କରିଛନ୍ତି । ନଦୀ ନିକଟରେ ଥିବା ବିଭିନ୍ନ ବିପଦଶଙ୍କୁଳ ସ୍ଥାନରେ ପର୍ବପର୍ବାଣି ସମୟରେ ସତର୍କତା ଅବଲମ୍ବନ ପାଇଁ ଆବଶ୍ୟକୀୟ ଅଗ୍ନିଶମ ଓ ଜରୁରୀକାଳୀନ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ଉପକରଣ ସହ ମୁତୟନ କରାଯାଇଥାଏ ବୋଲି କହିଛନ୍ତି ମନ୍ତ୍ରୀ ।





