ରାଜ୍ୟର ବିଶ୍ଵବିଦ୍ୟାଳୟ ଗୁଡିକରେ ୫୭% ଶିକ୍ଷକ ପଦବୀ ଖାଲି, ବିନା ପ୍ରଫେସରରେ ଚାଲିଛି ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟ; ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର,୩୦/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକରେ ୫୭ ପ୍ରତିଶତ ଶିକ୍ଷକ ଏବଂ ୫୮ ପ୍ରତିଶତ ଅଣଶିକ୍ଷକ ପଦବି ଖାଲି ରହିଛି। ରାଜ୍ୟର ମୋଟ ୧୨ ଟି ବିଶ୍ୱବିଦ୍ୟାଳୟରେ ଥିବା ୨୪୩ ଟି ଶିକ୍ଷକ ପଦବି ମଧ୍ୟରୁ ୧୮୧ଟି ପଦବୀ ଖାଲି ରହିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ମାଝୀଙ୍କ ଏକ ତାରକା ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।

ବୁଧବାର ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତେକ ଜାଣିବାକୁ ଚାହିଁଥିଲେ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡିକରେ କେତେ ଶିକ୍ଷକ ପଦ ଖାଲି ରହିଛି ? କେତେ ଅଣଶିକ୍ଷକ ପଦ ଖାଲି ରହିଛି । ଯେଉଁଠି ଶିକ୍ଷକ ପଦବୀ ଖାଲି ରହିଛି କିଭଳି ଶିକ୍ଷାଦାନ ହେଉଛି ବୋଲି ସେ ପ୍ରଶ୍ନ କରିଥିଲେ ।

ଏହାର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ, ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକରେ ୫୭ ପ୍ରତିଶତ ଶିକ୍ଷକ ଏବଂ ୫୮ ପ୍ରତିଶତ ଅଣଶିକ୍ଷକ ପଦବି ଖାଲି ରହିଛି । ରାଜ୍ୟର ୧୨ ଗୋଟି ବିଶ୍ୱବିଦ୍ୟାଳୟରେ ମୋଟ ୨୪୩ଟି ଶିକ୍ଷକ ପଦବୀରୁ ୧୮୧ଟି ପଦବୀ ଏବେ ଖାଲି ଅଛି । ସେହିପରି ୨ ହଜାର ୬୩୯ଟି ଅଣଶିକ୍ଷକ ପଦବୀ ମଧ୍ୟରୁ ୧ ହଜାର ୫୩୪ଟି ପଦବୀ ଖାଲି ପଡିଛି ।

ମନ୍ତ୍ରୀ ଆହୁରି କହିଛନ୍ତି ଉଦଘାଟନ ହୋଇଥିବା ଖଲ୍ଲିକୋଟ ୟୁନିଟାରୀ ବିଶ୍ବବିଦ୍ୟାଳୟ ଜୟପୁରର ବିକ୍ରମଦେବ ବିଶ୍ବବିଦ୍ୟାଳୟ ଓ କେନ୍ଦୁଝରର ଧରଣୀଧର ବିଶ୍ବବିଦ୍ୟାଳୟରେ ଗୋଟିଏ ବି ଶିକ୍ଷକ କିମ୍ବା ଅଣଶିକ୍ଷକ ପଦବୀ ଅଦ୍ୟାବଧି ସୃଷ୍ଟି କରାଯାଇନାହିଁ।

ସେହିଭଳି ମନ୍ତ୍ରୀ କହିଛନ୍ତି, ରାଜ୍ୟର ୧୫ ଗୋଟି ବିଶ୍ୱବିଦ୍ୟାଳୟରୁ ଖଲ୍ଲିକୋଟ ବିକ୍ରମଦେବ ଓ ଧରଣୀଧର ବିଶ୍ୱବିଦ୍ୟାଳୟରେ କୌଣସି ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ମଞ୍ଜୁରୀ ପ୍ରଦାନ କରାଯାଇ ନାହିଁ । ଅବଶିଷ୍ଟ ରାଜ୍ୟର ୧୨ ଗୋଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୬ ଗୋଟି ପ୍ରଫେସର, ୧୨ ଗୋଟି ଆସୋସିଏଟ ପ୍ରଫେସର ଓ ୩୨ଗୋଟି ଆସିଷ୍ଟାଣ୍ଟ ପ୍ରଫେସର ମୋଟ ୫୦ ଗୋଟି ପଦବୀ ମଧ୍ୟରୁ ଗୋଟିଏ ବି ପୂରଣ ହୋଇନାହିଁ । କେବଳ ୭ ଜଣ ଅଣଶିକ୍ଷକ ପଦବୀରେ ପାଠ ପଢା ହେଉଛି ।

ତେବେ ବିଧାନସଭାରେ ମନ୍ତ୍ରୀଙ୍କ ଏହି ଉତ୍ତର ପରେ ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ କିପରି ଚାଲିଛି ତାହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି । ସରକାର ଗୋଟିଏ ପରେ ଗୋଟିଏ ପୁରାତନ କଲେଜକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେଉଥିବା ବେଳେ, ଶିକ୍ଷକ ନିଯୁକ୍ତି କରିବାରେ ବିଫଳ ହୋଇଥିବା ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ଶିକ୍ଷାଦାନ କିଭଳି ହେବ? ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି।

Related Posts