ଭୁବନେଶ୍ୱର,୩/୪ (ସତ୍ୟପାଠ ବ୍ୟୁରୋ): ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ ମାମଲାରେ କରିବ ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଯଦିଓ କମିଶନରେଟ ପୋଲିସ ଏହି ମାମଲାରେ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଛି କିନ୍ତୁ ଏହି ମାମଲାରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ସାମ୍ନାକୁ ଆସିଛି। ତେଣୁ କମିଶନରେଟ ପୋଲିସକୁ ଇଡି ଏବାବଦରେ ପୂର୍ବରୁ ତଥ୍ୟ ମାଗିଥିଲା। ଆଉ ରିପୋର୍ଟ ପାଇବା ପରେ ଇଡି ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ କରିବ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ରମେଶ ସ୍ବାଇଁ ଜଣେ ନକଲି ଡାକ୍ତର। ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଅନେକ ଯୁବତୀଙ୍କୁ ସେ ବିବାହ କରିଥିଲା। ଆଉ ସେମାନଙ୍କଠୁ ବିଭିନ୍ନ ଧନ ସମ୍ପତ୍ତି ଆଣି ଠକେଇ କରିଛି। ସୂଚନା ଅନୁସାରେ ସେ ରାଜ୍ୟରେ ଓ ରାଜ୍ୟ ବାହାରେ ପ୍ରାୟ ୨୭ ଜଣଙ୍କୁ ବିବାହ କରିଛି। ଅର୍ଥାତ ତାର ୨୭ଟି ପତ୍ନୀ ରହିଛନ୍ତି।
ଏହାବାଦ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ମଧ୍ୟ ଚାକିରି କରାଇଦେବା ନାଁରେ ସେ ଠକେଇ କରିଛି। କାହାକୁ ମେଡିକାଲ କଲେଜରେ ନାମ ଲେଖାଇ ଦେବ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଛି ତ ଆଉ କାହାଠୁ ଚାକିରି କରାଇଦେବା କଥା କହି ତ ଆଉ କାହାଠୁ କରଜ ଆଣି ଆଉ ପରିଶୋଧ କରିନଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ୨୦୦୬ରେ ମେଡିକାଲ କଲେଜରେ ନାମ ଲେଖାଇବାକୁ କହି ୧ କୋଟିରୁ ଅଧିକ ଟଙ୍କା ରମେଶ ସ୍ୱାଇଁ ଠକେଇ କରିଥିବା ସୂଚନା ରହିଛି। ସେହିପରି ବିଭିନ୍ନ ଯୁବତୀଙ୍କୁ ବିବାହ କରି ତାଙ୍କଠାରୁ ଟଙ୍କା ଆଣି ଫେରାର ହୋଇ ରହିଥିଲା। ଦେଶର ବିଭିନ୍ନ ରାଜ୍ୟରେ ଅନ୍ୟାନ୍ୟ ଠକେଇ କାରବାର କରିଥିବାର ମଧ୍ୟ ଏହି ଠକ ନାଁରେ ଲମ୍ବା ଅଭିଯୋଗ ରହିଛି।
ଏବେ ଜେଲରେ ରହିଛି ଏକ ଠକ। ତେବେ ଇଡି ଏହି ମାମଲାରେ ତଦନ୍ତ କରିବା ସ୍ପଷ୍ଟ ହେବାପରେ ଏବେ ଇଡି ର ଏକ ଟିମ୍ ଜେଲ ଯାଇ ରମେଶକୁ ଜେରା କରିବା ସହିତ ଆର୍ଥିକ କାରବାରର ବିବରଣୀ ଦେଖି ତଦନ୍ତ କରିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ସିଂଘାଲୋ ଗାଁର ଏହି ନକଲି ଡାକ୍ତର କୁ ମହିଳା ଥାନା ପୋଲିସ ଗତବର୍ଷ ଫେବୃଆରୀ ୧୪ ତାରିଖରେ ଶନି ମନ୍ଦିରରୁ ଗିରଫ କରିଥିଲା। ସେ ସମୟରେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।





