ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, ଏପ୍ରିଲ ୧୩ ପର୍ଯ୍ୟନ୍ତ ମିଳିଲା ଜାମିନ

ଭୁବନେଶ୍ୱର,୩/୪ (ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ୱସ୍ତି। ‘ମୋଦୀ ସାଙ୍ଗିଆ’ ମାନହାନି ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ। ସୁରଟର ସେସନ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଥିବା ଜଣାପଡ଼ିଛି। ଏପ୍ରିଲ ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ତେବେ ସୋମବାର ଦିନ ରାହୁଲ ଗାନ୍ଧୀ ଗୁଜରାଟର ସୁରଟସ୍ଥିତ ସେସନ କୋର୍ଟରେ ‘ମୋଦୀ ସାଙ୍ଗିଆ’ ମାନହାନି ମାମଲାରେ ଜିଲ୍ଲା ଅଦାଲତ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରି ଆବେଦନ କରିଥିଲେ। ଏହି ମାମଲାରେ ଦଣ୍ଡ ଘୋଷଣା ହେବାର ୧୧ଦିନ ପରେ ସେ ସେସନ କୋର୍ଟରେ ଏହା ବିରୋଧରେ ପିଟିସନ ଦାଖଲ କରିଥିଲେ। ପିଟିସନ ଦାଖଲ ପରେ ସେସନ କୋର୍ଟ ତାଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି।

ତେବେ ରାହୁଲଙ୍କ ଏଭଳି ଜିଲ୍ଲା ଅଦାଲତ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରି ସେସନ କୋର୍ଟରେ ପିଟିସନ ଦାଖଲକୁ ନେଇ ବିଜେପି ତାଙ୍କୁ ସମାଲୋଚନା କରିଥିଲେ। ଟୁଇଟ୍‌ କରି କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ ଲେଖିଥିଲେ, ଆବେଦନ କରିବା ଲାଗି ରାହୁଲ୍‌ ଗାନ୍ଧୀ ବୋଧହୁଏ ସୁରଟ ଯିବେ। ଆବେଦନ ପତ୍ର ଦାଖଲ କରିବା ଲାଗି ଜଣେ ଦୋଷୀ ବ୍ୟକ୍ତିଗତ ଭାବେ ଯିବା ଅନାବଶ୍ୟକ। ସାଧାରଣତଃ, କୌଣସି ଦୋଷୀ ବ୍ୟକ୍ତିଗତ ଭାବେ ଯାଆନ୍ତିନାହିଁ। ଦଳେ ନେତା ଓ ସହଯୋଗୀଙ୍କୁ ସାଥିରେ ଧରି ବ୍ୟକ୍ତିଗତ ଭାବେ ଯିବା ଗୋଟାଏ ଡ୍ରାମା ଛଡ଼ା ଅନ୍ୟ କିଛି ନୁହେଁ।

ରାହୁଲ୍‌ ଗାନ୍ଧୀ ଯାହା କରୁଛନ୍ତି ତାହା ହେଉଛି ଅଦାଲତଙ୍କ ଉପରେ ଚାପ ପକାଇବାକୁ ହାସ୍ୟାସ୍ପଦ ପ୍ରଚେଷ୍ଟା। ଦେଶର ସମସ୍ତ ଅଦାଲତ ଏଭଳି କୌଶଳରୁ ସୁରକ୍ଷିତ ଅଛନ୍ତି ବୋଲି ଅନ୍ୟ ଏକ ଟୁଇଟ୍‌ରେ ରିଜିଜୁ କହିଥିଲେ।

Related Posts