ଭୁବନେଶ୍ୱର,୫/୪ (ସତ୍ୟପାଠ ବ୍ୟୁରୋ): ବିଜେଡି ବିଧାୟକଙ୍କ ଅଜବ ଯୁକ୍ତି । ଓଡିଶାରେ ଆଉ ଦାଦନ ଶ୍ରମିକ ମିଳୁନାହାଁନ୍ତି । ଆଉ କୌଣସି ଲୋକ ଦାଦନ ଖଟିବାକୁ ଯାଉ ନାହାଁନ୍ତି । ଏଭଳି ଅମୂଳକ ଯୁକ୍ତି ବାଢ଼ିଛନ୍ତି ସତ୍ୟବାଦୀର ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ । ହେଲେ ବିଧାନସଭାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଓ ସ୍ଥିତି ନେଇ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ରଖିଥିବା ଉତ୍ତରରୁ ଉମା ଯେ କେବଳ ବାହାସ୍ପୋଟ ମାରୁଛନ୍ତି ତାହା ପ୍ରମାଣିତ ହୋଇଛି ।
ମଙ୍ଗଳବାର କଂଗ୍ରେସ ନେତା ବିଜୟ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମହଙ୍ଗା ବିଦେଶ ଗ୍ରସ୍ତ, ଶିଳ୍ପରେ ଓଡ଼ିଆଙ୍କ ନିଯୁକ୍ତି, ଏମଏସଏମଇକୁ ଆକର୍ଷିତ କରିବା ପାଇଁ ସରକାରଙ୍କ ପଦକ୍ଷେପ, ଡାଉନଷ୍ଟିମ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ପଦକ୍ଷେପ ବାବଦରେ ସରକାରଙ୍କୁ ୧୦ଟି ପ୍ରଶ୍ନ କରି ଘେରିଥିଲେ ବିଜୟ । ବିଜୟଙ୍କ ପ୍ରଶ୍ନର ଜବାବ ରଖି ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି ଯେ, ବିଜୟ ପଟ୍ଟନାୟକ ନୂଆନୂଆ ଦଳକୁ ଆସିଛନ୍ତି । ରାଜନୀତି ଭିତରେ ସେ ନଥିଲେ । ତେଣୁ ସେ ଏଭଳି ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ବାବଦରେ ରଖିଛନ୍ତି । ଦିନ ଥିଲା ସକାଳ ହେଲେ ନବୀନଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀ ମିଳିବା କଷ୍ଟକର ବୋଲି ସେ ଗପୁଥିଲେ । ହେଲେ ଆଜି ସେ ପଟ୍ଟ ପରିବର୍ତ୍ତନ କରିଛନ୍ତି । ଓଡ଼ିଶାରେ କୌଣସି ଲୋକ ଦାଦନ ଯାଉନାହାନ୍ତି । ଓଡ଼ିଶାରେ ଯେତିକି ଫ୍ୟାକ୍ଟ୍ରି ଓ ଚାଷୀଙ୍କ ଉପରେ ଯେତିକି କାର୍ଯ୍ୟକ୍ରମ କରାଯାଉଛି, ତାହା ବିଜୟ ଜାଣି ପାରୁନାହାନ୍ତି । ଓଡ଼ିଶାର ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ କେମିତି ସମୃଦ୍ଧିଶାଳୀ କରିଛନ୍ତି, ବିଜୟ କଣ ଜାଣିପାରୁନାହାଁନ୍ତି । ସାମ୍ବାଦିକଙ୍କୁ ପାଲଟା ପ୍ରଶ୍ନ କରି ଉମା କହିଛନ୍ତି ଯେ, ଆପଣ ସାମ୍ବାଦିକ ହିସାବରେ କୁହନ୍ତୁ କେଉଁଠି ଆଉ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଆଉ କେଉଁଠି ଦାଦନ ମିଳୁଛନ୍ତି । ଏଭଳି ଅଜବ ଯୁକ୍ତି ବାଢିଛନ୍ତି ଉମା ।
ସେପଟେ କିନ୍ତୁ ବିଧାନସଭାରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦେଇଥିବା ତଥ୍ୟରୁ ରାଜ୍ୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦର୍ଶାଉଛି। ଗତ ୩ ବର୍ଷ ମଧ୍ୟରେ ବାହାର ରାଜ୍ୟକୁ ଦାଦନ ଖଟାଇବା ନିମନ୍ତେ ଜାରି କରିଥିବା ଶ୍ରମିକ ଠିକାଦାର ପଞ୍ଜିକରଣ ତାଲିକାରୁ ଏହା ସ୍ପଷ୍ଟ ଜଣାପଡ଼ୁଛି । ବିଧାନସଭାରେ ଲିଖତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୨୦ ମସିହାରେ ରାଜ୍ୟ ସରକାର ମାତ୍ର ୧୧୭ ଜଣଙ୍କୁ ଶ୍ରମିକ ଠିକାଦାର ଲାଇସେନ୍ସ ଜାରି କରିଥିଲେ । ୨୦୨୧ରେ ୨୭୧ ଜଣ ଓ ୨୦୨୨ରେ ୩୬୨ ଜଣ ଶ୍ରମିକ ଠିକାଦାରଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟାଇବାକୁ ନେବା ନିମନ୍ତେ ଲାଇସେନ୍ସ ଜାରି କରିଛନ୍ତି । ୨୦୨୦ରେ ଏହି ପଞ୍ଜିକୃତ ୧୧୭ ଜଣ ଶ୍ରମିକ ଠିକାଦାରଙ୍କ ମାଧ୍ୟମରେ ମୋଟ ୧୧୧୭୭ ଜଣ ଶ୍ରମିକ ବାହାର ରାଜ୍ୟକୁ ଯାଇଥିବାବେଳେ ୨୦୨୧ରେ ୨୭୧ ଜଣ ଠିକାଦାରଙ୍କ ମାଧ୍ୟମରେ ୩୧୭୮୫ ଜଣ ଶ୍ରମିକ ଓ ୨୦୨୨ ମସିହାରେ ୩୬୨ ଜଣ ଶ୍ରମିକ ଠିକାଦାରଙ୍କ ମାଧ୍ୟମରେ ୨୬୭୦୦ ଜଣ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି ।
ରାଜ୍ୟର ୧୪ଟି ଜିଲ୍ଲାରୁ ଲୋକମାନେ ଦାଦନ ଖଟିବାକୁ ଯାଇଛନ୍ତି । ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ପୁରୀ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ର ପ୍ରବାସୀ ଶ୍ରମିକମାନେ ମୁଖ୍ୟତଃ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ଆଦି ରାଜ୍ୟକୁ ଯାଇଥାନ୍ତି । ରାଜ୍ୟରେ ପ୍ରବାସୀ ଶ୍ରମିକ ନିୟୋଜନ ନିମନ୍ତେ ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ଆଇନ-୧୯୭୯ ଅନୁସାରେ ଠିକାଦାରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟ ସରକାର ଏକ ଷ୍ଟେଟ୍ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରୁଛନ୍ତି । ଏହି ୧୪ଟି ଦାଦନ ପ୍ରବଣ ଜିଲ୍ଲାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପଞ୍ଚାୟତ ସ୍ତରରେ ସ୍ୱଇଚ୍ଛା ପଞ୍ଜିକରଣ ବ୍ୟବସ୍ଥା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିୟମାବଳୀ ସହ ଆର୍ଥିକ ସହାୟତା ଓ ଉକ୍ତ ପ୍ରବାସୀ ଶ୍ରମିକ ପ୍ରଣବ ଜିଲ୍ଲାର ପୁଲିସ ଏସପିଙ୍କୁ ମାନବଚୋରା ଚାଲାଣର ସଶକ୍ତିକରଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ମନ୍ତ୍ରୀ ବିଧାନସଭାରେ କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଧାନସଭାରେ ମନ୍ତ୍ରୀ ରଖିଥିବା ଉତ୍ତରର ଠିକ୍ ନା ଶାସକ ଦଳର ବିଧାୟକ ଠିକ୍। ବିଧାୟକଙ୍କ ଯୁକ୍ତି ଅନୁସାରେ ଯଦି ରାଜ୍ୟରେ ଦାଦନ ଶ୍ରମିକ ନାହାନ୍ତି ତେବେ ରାଜ୍ୟ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସଚେତନତା କାର୍ଯ୍ୟକ୍ରମ କାହା ସ୍ୱାର୍ଥରେ କରୁଛନ୍ତି। ହେଲେ ରାଜ୍ୟର ବାସ୍ତବ ସ୍ଥିତିକୁ ଦେଖିଲେ ମନ୍ତ୍ରୀଙ୍କ ଉତ୍ତର ଠାରୁ ମଧ୍ୟ ଅଧିକ ଲୋକ ଓଡ଼ିଶାରେ ନିଯୁକ୍ତି ଅଭାବରୁ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ତାହା କାହାରିକୁ ଅଛପା ନାହିଁ। ଏଭଳି ସ୍ଥିତିରେ ଶାସକ ଦଳର ବିଧାୟକ ରାଜନୈତିକ ଟିପ୍ପଣୀ ଦେବାକୁ ଯାଇ ଯେ କେବଳ ବହସ୍ପଟ ମାରୁଛନ୍ତି ତାହା ସାଧାରଣରେ ଚର୍ଚ୍ଚା ହେଉଛି।





