ଅତାବିରା ଏନଏସି ନିର୍ବାଚନ: ଅଧ୍ୟକ୍ଷ ପଦ ସହ ୧୨ ୱାର୍ଡରୁ ୧୧ଟିରେ ବାଜି ମାରିଲା ବିଜେଡି

ଭୁବନେଶ୍ୱର,୪/୪ (ସତ୍ୟପାଠ ବ୍ୟୁରୋ): ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନରେ ବାଜି ମାରି ନେଇଛି ବିଜେଡି। ଅଧ୍ୟକ୍ଷ ପଦ ସହ ମୋଟ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ମାତ୍ର ଗୋଟିଏ ୱାର୍ଡ କଂଗ୍ରେସ ହାତକୁ ଯାଇଛି। ଅତାବିରା ୱାର୍ଡ ନମ୍ବର ୧ରେ କଂଗ୍ରେସର ଦାପକ ରାୟ ବିଜୟୀ ହୋଇଥିବା ସୂଚନା ମିଳିଛି । ସେପଟେ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳି ବରିହା ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ସବିତା ଭୁଏଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଗତ ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ ହୋଇଥିଲା । ଆଜି ଭୋଟ ଗଣତି ପରେ ବିଜେଡି ହାତକୁ ଯାଇଛି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ।ଅତାବିରା ଏନ୍‌ଏସିରେ ବିଜେଡି ବିଜୟ ହାସଲ କରିବା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେଡି କର୍ମୀମାନେ ନାଚି ଓ ପରସ୍ପରକୁ ମିଠା ଖୁଆଇ ଉତ୍ସାହ ମନାଇଛନ୍ତି।

ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ୍ ଗଣତି ଚାଲିଛି। ହିନ୍ଦୋଳ ଏନ୍ଏସିର ୧୬ଟି ୱାର୍ଡ ପାଇଁ ନିର୍ବାଚନୀ ହୋଇଛି। ଏହାବ୍ୟତୀତ ଅଧ୍ୟକ୍ଷ ପଦ ପାଇଁ ବିଜେପି ଓ ବିଜେଡି ଭିତରେ କଡ଼ା ଟକ୍କର ଚାଲିଛିା ଭୋଟ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ସମସ୍ତ ପ୍ରକ୍ରିୟା ଚାଲିଛି।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୩ ତାରିଖରେ ଅତାବିରା ଓ ହିନ୍ଦୋଳ ଏନଏସି ପାଇଁ ମତଦାନ ହୋଇଥିଲା । ହିନ୍ଦୋଳ ଏନଏଏସିରେ ମୋଟ ୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅତାବିରା ଏନଏସିରେ ୭୪ପ୍ରତିଶତ ଭୋଟଗ୍ରହଣ ହୋଇଥିଲା । ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ କାଉନସିଲର ପଦବୀ ନିମନ୍ତେ ମୋଟ ୫୦ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୩ଜଣ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେହିପରି ଅତାବିରା ଏନଏସିର ୧୨ଟି ୱାର୍ଡରେ କାଉନସିଲର ପଦବୀ ପାଇଁ ୩୯ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ସୁରକ୍ଷା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨ ଜଣ ASP, ୪ DSP, ୫ ଇନ୍ସପେକ୍ଟର, ୨୨ SIଙ୍କୁ ଦାୟିତ୍ଵ ଦିଆଯାଇଥିବା ସୂଚନା ମିଳିଛି ।

Related Posts