ହିନ୍ଦୋଳ ଏନଏସିରେ ବିଜେଡିର ବାଜିମାତ୍; ଅଧ୍ୟକ୍ଷ ପଦ ସହ ହତେଇଲା ୧୧ କାଉନସିଲର ପଦ

ଭୁବନେଶ୍ୱର,୫/୪ (ସତ୍ୟପାଠ ବ୍ୟୁରୋ): ବରଗଡ଼ ଜିଲ୍ଲା ଅତାବିରା ଏନଏସି ପରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିକୁ ମଧ୍ୟ ଅକ୍ତିଆର କରିଛି ବିଜୁ ଜନତା ଦଳ। ହିନ୍ଦୋଳ ଏନଏସି ନିର୍ବାଚନରେ ବିଜୁ ଜନତା ଦଳର ନଗରପାଳ ପ୍ରାର୍ଥୀ କେଶବ ଚନ୍ଦ୍ର ପ୍ରଧାନ ୪୨୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ମୋଟ ୧୬ ରାଉଣ୍ଡରେ ବିଜେପି ନଗରପାଳ ପ୍ରାର୍ଥୀ ସୋଭାଗିନୀ ପ୍ରଧାନ ୩୯୨୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର କେଶବ ଚନ୍ଦ୍ର ପ୍ରଧାନ ୪୩୪୭ ଖଣ୍ଡ ଭୋଟ ପାଇଛନ୍ତି।

ଠିକ୍ ସେହିଭଳି ୧୬ଟି ୱାର୍ଡରୁ ବିଜୁ ଜନତା ଦଳ ୧୧ଟି ୱାର୍ଡ ନିଜ ଅକ୍ତିଆରକୁ ନେଇଥିବା ବେଳେ ଭାରତୀୟ ଜନତା ପାର୍ଟି ବିଜେପି ହାତକୁ ଯାଇଛି ୫ଟି ୱାର୍ଡ। ୫ ନମ୍ବର, ୬ ନମ୍ବର, ୯ ନମ୍ବର, ୧୨ ନମ୍ବର ଓ ୧୩ ନମ୍ବର ୱାର୍ଡକୁ ଛାଡିଦେଲେ ବାକି ୧୧ଟି ୱାର୍ଡରେ ବିଜେଡି କାଉନସିଲର ମାନେ ବିଜୟୀ ହୋଇଛନ୍ତି। ସେପଟେ କଂଗ୍ରେସ ଏଠାରେ ଖାତା ଖୋଲିପାରିନାହିଁ। ଏନଏସି ଦଖଲ ପରେ ବିଜେଡ଼ି ଶିବିରରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ନିର୍ବାଚନ ଗତ ୩ ତାରିଖରେ ଶେଷ ହୋଇଥିବା ବେଳେ ଆଜି ସକାଳୁ ଭୋଟ ଗଣତି ହୋଇଥିଲା। କଡ଼ା ସୁରକ୍ଷା ବଳୟ ଭିତରେ ହିନ୍ଦୋଳ ଏନଏସି ଷ୍ଟ୍ରଙ୍ଗରୁମରେ ସକାଳ ୮ଟାରୁ ଭୋଟ ଗଣତି ହୋଇଥିଲା।

Related Posts