ଭୁବନେଶ୍ୱର,୬/୪ (ସତ୍ୟପାଠ ବ୍ୟୁରୋ): ବୁଧବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରତିଭା ମାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି କ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି ୩ ଓଡ଼ିଆ । ବିଶିଷ୍ଟ ସାହିତ୍ୟିକ ଡା. ଅନ୍ତର୍ଯ୍ୟାମୀ ମିଶ୍ର, କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ ଓ ବୈଦ୍ୟ ପଟ୍ଟାୟତ ସାହୁ। ବୁଧବାର ସଂଧ୍ୟାରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଉଲ୍ଲେଖଯୋଗ୍ୟ ଯେ, ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ପ୍ରତିଷ୍ଠିତ ଓଡ଼ିଆ ସାହିତ୍ୟିକ, ବିଶିଷ୍ଟ ସ୍ତମ୍ଭକାର ଏବଂ ଗବେଷକ। ସେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ଭାଷା, ବ୍ୟାକରଣ, ସଂସ୍କୃତି ଓ ଇତିହାସ ଅଧ୍ୟୟନରେ ଯୋଗଦାନ ଦେଇଆସୁଛନ୍ତି। ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ, ସେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ଲାଗି କ୍ରମାଗତ ଭାବେ ଭିନ୍ନ ଭିନ୍ନ ଗବେଷଣା ନିବନ୍ଧ ଓ ପୁସ୍ତକ ଲେଖିଛନ୍ତି। ଓଡ଼ିଆ ଭାଷା ଉପରେ ତାଙ୍କର ଅଧିକାଂଶ ବିଚାର, ଗବେଷଣା କାର୍ଯ୍ୟ ଏବଂ ରଚନା ଅନ୍ୟ ବୌଦ୍ଧିକ ଗବେଷଣା ବିଦ୍ୱାନ ଏବଂ ଓଡ଼ିଆ ପ୍ରେମୀଙ୍କ ଆଖି ଖୋଲିଦେଇଥିଲା।
ସେହିପରି ଡକ୍ଟର କ୍ରିଷ୍ଣା ପଟେଲ ଜଣେ ଲୋକପ୍ରିୟ ଏବଂ ବହୁମୁଖୀ ଲୋକଗାୟିକା। ସେ ୧୯୭୮ମସିହାରେ ନିଜର ସର୍ବାଦୃତ ସମ୍ବଲପୁରୀ ଗୀତ ‘ରଙ୍ଗବତୀ ରଙ୍ଗବତୀ’ ମାଧ୍ୟମରେ ସମ୍ବଲପୁରୀ ଲୋକ ସଙ୍ଗୀତକୁ ସାରା ବିଶ୍ୱରେ ଲୋକପ୍ରିୟ କରାଇପାରିଥିଲେ। ପ୍ରଭୁଦତ୍ତ ପ୍ରଧାନ ଏହି ଗୀତ ପାଇଁ ସଂଗୀତ ସଂଯୋଜନା କରିଥିବାବେଳେ ଜିତେନ୍ଦ୍ର ହରିପାଲ ଏବଂ କ୍ରିଷ୍ଣା କଣ୍ଠଦାନ କରିଥିଲେ। ଏହି ଗୀତ ପ୍ରଚାରିତ ହେବା ପରେ ଅସମ୍ଭବ ଲୋକପ୍ରିୟତା ଲାଭ କରିଥିଲା। ପ୍ରତିଟି ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗବତୀ ଗାଇବା ପାଇଁ ଶ୍ରୋତାଙ୍କ ପ୍ରଥମ ଦାବି ରହୁଥିଲା। ସାରା ଓଡ଼ିଶା ଓ ଛତିଶଗଡ଼ରେ ବାହାଘର ଶୋଭାଯାତ୍ରା ହେଉ କି ମୂର୍ତ୍ତି ବିସର୍ଜନ ସବୁଠି ରଙ୍ଗବତୀ ଗୀତର ସର୍ବାଧିକ ଚାହିଦା ରହିଥିଲା। ୧୯୭୦ରେ ଆକାଶବାଣୀ ସମ୍ବଲପୁରରୁ ତାଙ୍କ ପ୍ରଥମ ଗୀତ ପ୍ରସାରିତ ହୋଇଥିଲା। କ୍ରିଷ୍ଣା ପଟେଲ୍ ଓଡ଼ିଶା ସଙ୍ଗୀତ ନାଟକ ସମ୍ମାନ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ସହିତ ଅନେକ ସମ୍ମାନ ପାଇଛନ୍ତି।
ସେହିପରି ପଟ୍ଟାୟତ କୁମାର ସାହୁ ପେସାରେ ଜଣେ ବୈଦ୍ୟ। ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବା ଏବଂ ଔଷଧୀୟ ବୃକ୍ଷରୋପଣ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ସେ ବିଶେଷ ଲୋକପ୍ରିୟ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ନାନ୍ଦୋଲ ଗ୍ରାମର ଶ୍ରୀ ସାହୁ ବହୁ ବିଲୁପ୍ତ ଔଷଧୀୟ ବୃକ୍ଷ ଲଗାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ସେ ଚର୍ଚ୍ଚାକୁ ଆସିଥିଲେ। ସେ ଦେଢ଼ ଏକର ଜମିରେ ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷ ଲଗାଇଛନ୍ତି। ଏଥିରୁ ସେ ପ୍ରାୟ ୫୦୦ରୁ ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷ ଦେଶର ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଛନ୍ତି। ୪୦ ବର୍ଷ ପୂର୍ବେ ସେ ଔଷଧୀୟ ବୃକ୍ଷ ତାଙ୍କ ବଗିଚାରେ ଲଗାଇବା ଆରମ୍ଭ କରିଥିଲେ। ତାଙ୍କ ଜେଜେ ବାପା ଜଣେ ବୈଦ୍ୟ ଥିଲେ। ଜେଜେଙ୍କ ପ୍ରେରଣା ଯୋଗୁ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା।
ତେବେ ଚଳିତ ୨୦୨୩ ବର୍ଷରେ ପଦ୍ମ ପୁରସ୍କାର ପାଇଁ ୪ ଜଣ ଓଡ଼ିଆଙ୍କ ନାଁ ଘୋଷଣା ହୋଇଥିଲା । ତେବେ ପୂର୍ବରୁ ଗତ ମାର୍ଚ୍ଚ ୨୨ ତାରିଖରେ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ ।
ଅନ୍ୟପଟେ ରାଷ୍ଟ୍ରପତି ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି । ଯେଉଁ ମାନଙ୍କ ମଧ୍ୟରେ ରହିଛନ୍ତି ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ, ବିଶିଷ୍ଟ ଚିକିତ୍ସକ ଦିଲୀପ ମହାଲନାବିଶଙ୍କୁ ପଦ୍ମବିଭୂଷଣ ସମ୍ମାନ ମିଳିଛି । ଉଭୟଙ୍କୁ ମରଣୋତ୍ତର ଭାବରେ ଏହି ସମ୍ମାନ ପ୍ରାଦନ କରାଯାଇଛି । ମୁଲାୟମ ସିଂ ଯାଦବଙ୍କ ପୁଅ ଅଖିଳେଶ ଯାଦବ ସମ୍ମାନ ଗ୍ରହଣ କରିଥିବା ବେଳେ, ଦୀଲ୍ଲିପ ମହାଲନାବିଶଙ୍କ ଭଣଜା ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଥିଲେ । ବୁଧବାର ମୋଟ ୩ ଜଣଙ୍କୁ ପଦ୍ମବିଭୂଷଣ ୫ ଜଣଙ୍କୁ ପଦ୍ମଭୂଷଣ ଓ ୪୫ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।
ସୂଚନାଯୋଗ୍ୟ ଯେ, ବର୍ଷ ୨୦୨୩ ପାଇଁ ମୋଟ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଘୋଷଣା କରାଯାଇଥିଲା । ମୋଟ ୧୦୬ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଓ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୨ ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ବୁଧବାର ଦ୍ଵିତୀୟ ପର୍ଯ୍ୟାୟର ଅବଶିଷ୍ଟ ୫୩ ଜଣଙ୍କୁ ପଦ୍ମ ସମ୍ମାନ ମିଳିଛି ।





